ତିହାର ଜେଲରେ ନାହାନ୍ତି ଘାତକ, ‘ନିର୍ଭୟା’ ଦୋଷୀଙ୍କୁ କେମିତି ଦିଆଯିବ ଫାଶୀ ?

ନୂଆଦିଲ୍ଲୀ: ତେଲଙ୍ଗାନା ଘଟଣା ପରେ ଦେଶବାସୀଙ୍କ ହୃଦୟରେ ଗଭୀର ଆଘାତ ଲାଗିଛି । ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ଆଜି ପର୍ଯ୍ୟନ୍ତ ଫାଶୀ ପାଇ ନ ଥିବା ବେଳେ ତେଲଙ୍ଗାନାରେ ପୁଣି ଏକ ହୃଦୟ ବିଦାରକ ଘଟଣା ଘଟିଛି । ସେମାନଙ୍କୁ କେବେ ଫାଶୀ ଦିଆଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯାହା ଖବର ମିଳିଛି, ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କ ଫାଶୀର ତାରିଖ ପାଖେଇ ଆସୁଛି । ସୂତ୍ର କହୁଛି ଏକ ମାସ ଭିତରେ ଫାଶୀ ଦିଆଯିବା ତାରିଖ ଆସିପାରେ । 

କେବେ ମିଳିବ ଫାଶୀ ?

ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରାଯାଇଥିବା ସର୍ବକ୍ଷମା ଅଗ୍ରାହ୍ୟ ହେଲେ କୋର୍ଟ ଡେଥ ୱାରେଣ୍ଟ ବା ବ୍ଲାକ ୱାରେଣ୍ଟ ଜାରି କରିବେ । ଏହାପରେ ନିର୍ଦ୍ଧାରିତ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରେ । ତେବେ, ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ଅଭୟ କ୍ଷମା ପାଇଁ ଆବେଦନ କରିଛି । ୪ ଦୋଷୀଙ୍କୁ କ୍ଷମା ନଦେବାକୁ ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାର ନିବେଦନ କରିଛନ୍ତି। ରାଷ୍ଟ୍ରପତି ସର୍ବକ୍ଷମା ଆବେଦନ ଅଗ୍ରାହ୍ୟ କରିବା ପରେ ସେମାନଙ୍କୁ ଫାଶୀ ଦିଆଯିବ । କିନ୍ତୁ ଫାଶୀ ଖୁଣ୍ଟରେ ସେମାନଙ୍କୁ ଝୁଲାଇବ କିଏ? କାରଣ ତିହାର ଜେଲ୍‌ରେ ଘାତକ ହିଁ ନାହାନ୍ତି ।

ଦିନକ ପାଇଁ ବାହାରୁ ଆସିବେ ଘାତକ

ଜେଲ୍ ପ୍ରଶାସକଙ୍କ ସୂଚନା ମୁତାବକ, ଅନ୍ୟ ଜେଲ୍‌ରୁ ଘାତକ ମଗାଯାଇ ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଏହା ପୂର୍ବରୁ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବା ବେଳେ ଅନ୍ୟ ଜେଲ୍‌ରୁ ଘାତକ ମଗାଯାଇଥିଲା ଓ ଫାଶୀ ଦିଆଯିବା ପରେ ପୁଣି ସେ ଫେରିଯାଇଥିଲେ । ତେଣୁ ଏଥର ମଧ୍ୟ ତାହା ହିଁ ହେବ ବୋଲି କୁହାଯାଉଛି । 

୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀର ମୁନିର୍କା ଅଞ୍ଚଳରେ ଡାକ୍ତରୀ ଛାତ୍ର ‘ନିର୍ଭୟା’ ତାଙ୍କ ବନ୍ଧୁଙ୍କ ସହ ବସରେ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଚଳନ୍ତା ବସରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ ପରେ ତାଙ୍କୁ ଗାଡ଼ିରୁ ଠେଲି ଦେଇଥିଲେ । ମେଡିକାଲରେ ପ୍ରାୟ ୧୩ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଥିଲେ ପୀଡ଼ିତା । ଯାହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଯାଏ ପ୍ରତିବାଦର ସ୍ୱର ଉଠିଥିଲା ।

୭ ବର୍ଷର ଘଟଣାକୁ ପୁଣି ହାଇଦ୍ରାବାଦ ନିର୍ଭୟା ମାମଲା ତାଜା କରିଛି । ପୁଣି ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ସବୁଠି ଦାବି ହେଉଛି । ତଳୁ ଉପର କୋର୍ଟର ଚକ୍କର ଭିତରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ସବୁ ମହଲରେ ଦାବି ଜୋର ଧରିଛି ।

Leave a Reply