ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵର ବାଲିଅନ୍ତା ଭିଡ଼ ହିଂସାରେ କନଷ୍ଟେବଳ ସୌମ୍ୟରଂଜନ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତନାଘନା ଜାରି ରହିଛି। ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ (NHRC) ରେ ହାଜର ହୋଇଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଥିବା ଯୁବତୀ। ତାଙ୍କ ସହିତ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ NHRC ରେ ହାଜର ହୋଇଛନ୍ତି। ପୂର୍ବରୁ ଉଭୟଙ୍କୁ କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହି ହାଜର ପରେ NHRC ପକ୍ଷରୁ ଦୁଇ ଜଣଙ୍କୁ ପଚରାଉଚରା କରାଯିବା ସହ ପୂରା ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଛି ତଦନ୍ତ ଟିମ୍।
ଦୁର୍ଘଟଣା ଓ ସୌମ୍ୟରଂଜନଙ୍କୁ ମାଡ଼ ମରାଯିବା ପରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଡକାଯାଇଥିଲା। ହେଲେ କିଏ ଓ କାହିଁକି ସେହି ଆମ୍ବୁଲାନ୍ସକୁ ଫେରାଇ ଦେଇଥିଲା, ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଆମ୍ବୁଲାନସକୁ ଫେରାଇ ଦେବା ପରେ ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି, ବାଉଁଶରେ ଟେକି ଏକ ଟ୍ରକରେ ନିଆଯାଇଥିଲା। ଗାଈଗୋରୁଙ୍କ ଭଳି ଅତି ଅମାନୁଷିକ ଭାବେ ତାଙ୍କୁ ବୋହି ନେବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଅନ୍ୟପଟେ, ସୌମ୍ୟଙ୍କ ମୃତଦେହର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଥିବା ଭୁବନେଶ୍ଵର କ୍ୟାପିଟାଲ ହସପିଟାଲର ଡାକ୍ତର ଲକ୍ଷ୍ମୀଧର ବେହେରା ମଧ୍ୟ NHRC ରେ ହାଜର ହୋଇଛନ୍ତି। ଏହାସହ ନୋଟିସ ହୋଇଥିବାରୁ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ, ଭୁବନେଶ୍ଵର ଡିସିପି ଜଗମୋହନ ମୀନ ଓ ଆଇପିଏସ ଦୟାଲ ଗଙ୍ଗୱାର ମଧ୍ୟ କମିଶନଙ୍କ ସମ୍ମୁଖରେ ହାଜର ହୋଇପାରନ୍ତି।
ସୂଚନାଯୋଗ୍ୟ ଯେ, ଆଇପିଏସ ଦୟାଲ ଗଙ୍ଗୱାରଙ୍କ ଘରେ ହିଁ ସୌମ୍ୟରଂଜନ କାମ କରୁଥିଲେ ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା।

