ଖାଲଖମାରେ ଭର୍ତ୍ତି NH-55, ପ୍ରତିଦିନ ଘଟୁଛି ଦୁର୍ଘଟଣା

1 min read
NHAI Not Repairing NH-55 Angul

ଅନୁଗୁଳ: ଶୋଚନୀୟ ଅବସ୍ଥାରେ ୫୫ ନମ୍ବର ଜାତୀୟ ରାଜପଥ । ଖାଲଖମାରେ ଭର୍ତ୍ତି ହୋଇଛି ଜାତୀୟ ରାଜପଥ । ରାସ୍ତାରେ ଯାତାୟତ କରିବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ପ୍ରତିଦିନ ଜାତୀୟ ରାଜପଥରେ ଦୁର୍ଘଟଣା ଘଟୁଥିବା ବେଳେ ଅକାରଣେ ମୂଲ୍ୟବାନ ଜୀବନ ଚାଲି ଯାଉଛି ।

NHAI Not Repairing NH-55 Angul

ଅସୁରକ୍ଷିତ ଜାତୀୟ ରାଜପଥ । ମରଣଯନ୍ତା ୫୫ ନମ୍ବର ଏନ୍ଏଚ୍ । ପ୍ରତିଦିନ ଦୁର୍ଘଟଣାରେ ଗଡ଼ୁଛି ମୁଣ୍ଡ । ଆଖି ବୁଜି ଦେଇଛି ଏନ୍ଏଚ୍ଏଆଇ । ଏ ଚିତ୍ର କଟକ-ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର । ଏଠି ପାଦେ ପାଦେ ବିପଦ । ରାସ୍ତା କମ୍, ଖାଲଖମା ଅଧିକ । ସମାନ୍ୟ ଏପଟ ସେପଟେ ହେଲେ ଦୁର୍ଘଟଣା ହେବା ଥୟ । ଗାଡ଼ି ମୋଟର ଯାତାୟାତ କରିବା ଶୋଚନୀୟ ହୋଇ ପଡ଼ିଥିବା ବେଳେ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ।

NHAI Not Repairing NH-55 Angul

ରାସ୍ତା ମରାମତି ପାଇଁ ଅଭିଯୋଗ ହୋଇଛି । ହେଲେ ଅଚିନ୍ତା ନିଦ୍ରାରେ ଶୋଇଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ । ଅନୁଗୁଳ ଜିଲ୍ଲା ବଡ଼କେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ । ଠିକା ସଂସ୍ଥା କେବଳ ବାଇପାସ୍ କାମ ଆରମ୍ଭ କରିଦେଇ ଚୁପ୍ ବସିଛି । ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ନୂଆ ଟେଣ୍ଡର ପ୍ରକ୍ରିୟାକରଣ କରି ଶୀଘ୍ର କାମ ଆରମ୍ଭ କରାଯିବ ।

NHAI Not Repairing NH-55 Angul

ଏହା ସହିତ ସାଢ଼େ ପାଞ୍ଚ କିଲୋମିଟର ଖାଲଖମାରେ ଭର୍ତ୍ତି ହୋଇଥିବା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ଜାତୀୟ ରାଜପଥ ପ୍ରସସ୍ତିକରଣ କାମ ସାରିବାକୁ ଦାବି କରିଛନ୍ତି ଲୋକ ।