କେବେ ସରିବ ଏନଏଚ-୫୫ ଜାତୀୟ ରାଜପଥ କାମ ?

1 min read

ଢେଙ୍କାନାଳ: ରାଜ୍ଯରେ ବଢିବାରେ ଲାଗିଛି ନିର୍ବାଚନୀ ତାତି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକ ସରଗରମ ହୋଇଉଠୁଛି ରାଜନୀତିକ ମାହୋଲ । ଜୋରଦାର ଚାଲିଛି କ୍ଯମ୍ପେନ। ବିଭିନ୍ନ ଜାଗାରେ ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କଟକ, ଢେଙ୍କାନାଳ ଓ ସମ୍ବଲପୁର ଏହି ତିନି ଲୋକସଭା କ୍ଷେତ୍ରରେ ଜାତୀୟ ରାଜପଥ NH- ୫୫ ଏବେ ପାଲଟିଛି ପ୍ରମୁଖ ରାଜନୈତିକ ମୁଦ୍ଦା ।

କେବେ ସରିବ ଏନଏଚ-୫୫  ଜାତୀୟ ରାଜପଥ କାମ ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । କିଏ ହେବ ଉତ୍ତରଦାୟୀ ? ଏମିତି ଅନେକ ପ୍ରଶ୍ନ ବାଣରେ ଏବେ ଛନ୍ଦି ହେଉଛନ୍ତି ବିଜେପିର ୩ ଲୋକସଭା ସଂସଦୀୟ ପ୍ରାର୍ଥୀ । କଟକରେ ଭର୍ତୁହରି ମହତାବ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନି ପ୍ରାର୍ଥୀଙ୍କୁ ଏବେ ଭୋଟରଙ୍କ ଚିରାଚରିତ ପ୍ରଶ୍ନ କେବେ ସରିବ ଜାତୀୟ ରାଜପଥ କାମ । ବିଶେଷ କରି ସମ୍ବଲପୁର ଓ ଢ଼େଙ୍କାନାଳ ଲୋକସଭା କ୍ଷେତ୍ରରେ ଏପରି ସ୍ଥିତି ବେଶୀ ଦେଖିବାକୁ ମିଳିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ହୋଇଥିବାରୁ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟିବା ତାଙ୍କୁ ଅଡୁଆରେ ପକାଉଛି । ତେବେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଭୋଟର ।

ତେବେ ଚାଲନ୍ତୁ ଏନଏଚ-୫୫ ଉପରେ ଟିକେ ନଜର ପକାଇବା । କଟକ ମଙ୍ଗୁଳି ଛକ ଠାରୁ ଢେ଼ଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁରକୁ ଯାଇଛି ଏନଏଚ-୫୫  ଜାତୀୟ ରାଜପଥ । ବିଶେଷ କରି କଟକ, ଢେ଼ଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ଲାଇଫ ଲାଇନ୍ ଏହି ରାସ୍ତା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ ହେବା କଥା ହେଲେ ପୂରିବାକୁ ଯାଉଛି ୭ ବର୍ଷ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଅନୁଯାୟୀ ରାସ୍ତା କାମ ମାର୍ଚ୍ଚ ୩୦ରେ ସରିବା କଥା ହେଲେ ଆଜି ପର୍ଯ୍ଯନ୍ତ କାର୍ଯ୍ଯ ସରିପାରିନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ସଡ଼କ ସୁରକ୍ଷା କମିଟିକୁ ଖାତିର କରୁନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ।