ଭୟଙ୍କର ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମୀ ଆଲର୍ଟ ଜାରୀ

1 min read

ନୂଆଦିଲ୍ଲୀ  :  ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ କେର୍ମାଡେକ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ଼ ରାଉଲ ଦ୍ୱୀପଠାରୁ ପ୍ରାୟ ୧୯୫ କିଲୋମିଟର ଦକ୍ଷିଣ-ପୂର୍ବରେ ବା ଅକଲାଣ୍ଡଠାରୁ ୧,୧୨୫ କିଲୋମିଟର ଉତ୍ତର-ପୂର୍ବରେ ହୋଇଥିବା ଜଣାପଡିଛି । ୟୁଏସ୍ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୦ ଥିଲା । ସମୁଦ୍ର ପତନଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂମିକମ୍ପ ଅନୁଭୂତ ହେବାରୁ ସମୁଦ୍ରରେ ଲହରୀ ଆସୁଛି। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୂମିକମ୍ପ ନିକଟବର୍ତ୍ତୀ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।ତେବେ ଏନେଇ କୌଣସି ଧନଜୀବନର କ୍ଷୟକ୍ଷତି ନେଇ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ ।