କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ପୂର୍ବରୁ ମୁଣ୍ଡକୁ କାନ୍ଥରେ ବାଡେଇ ଦେଇଥିଲା ଅଭିଯୁକ୍ତ

କୋଲକତା: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣା ପୁଣି ଥରେ ନିର୍ଭୟା ମାମଲାକୁ ଜୀବନ୍ତ କରିଦେଇଛି  । ଏଭଳି ଲୋମଟାଙ୍କୁରା ଘଟଣା ଦେଶବାସୀଙ୍କୁ ବିଚଳିତ କରିଦେଇଛି  । ଦିନକୁ ଦିନ ସାମନାକୁ ଆସୁଛି ଲୋମହର୍ଷଣକାରୀ ଘଟଣାର ନୂଆ ନୂଆ ତଥ୍ୟ  । କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି  । ହତ୍ୟା ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲା  । ଏପରିକି ପିଡିତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ଭିତରେ କାଚ ପଶିଯାଇଥିଲା  । ଆରଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବର୍ବରତା ମାମଲାରେ ସମଗ୍ର ଦେଶର ଡାକ୍ତର ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ୩୧ ବର୍ଷୀୟ ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପୂର୍ବରୁ ବିରୋଧ ପାଇଁ ଅମାନୁଷିକ ଭାବେ ମାଡ ମରାୟାଇଥିଲା  । ତାଙ୍କୁ ଏଭଳି ଭାବେ ମାଡ ମରାଯାଇଥିଲା ଯେ ପିଡିତାହକ୍ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା  । ପିଡିତାଙ୍କ ହାତ ଓ ଚେହେରାରେ କାମୁଡା ଦାଗ ମଧ୍ୟ ରହିଥିଲା  । ଅଭିଯୁକ୍ତ ପିଡିତାଙ୍କ ମୁଣ୍ଡକୁ ଏତେ ଜୋରରେ କାନ୍ଥରେ ବାଡେଇ ଦେଇଥିଲା ଯେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  ।

ମେଡିକାଲ କଲେଜର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟିଥିଲା  । ଏହାପରେ ତାଙ୍କୁ ହତ୍ୟା କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ଦିନ ଡାକ୍ତରଙ୍କ ମୃତଦେହ ମିଳିଥିଲା । କୋଲକାତା ପୋଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ କୋଲକାତା ପୋଲିସ ସହ କାମ କରୁଥିବା ସିଭିକ ଭଲିଣ୍ଟିଅର ଅଟେ ।