spot_img

Latest Posts

ରାଜରାସ୍ତାରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା । ଆବେଦନର ଦୁଇ ବର୍ଷ ପରେ ମଧ୍ୟ ହେଉନି ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ :ରାଜରାସ୍ତାରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା । ଆବେଦନର ଦୁଇ ବର୍ଷ ପରେ ମଧ୍ୟ ହେଉନି ପରୀକ୍ଷା । ହାଇକୋର୍ଟ ଦୌଡିବା ପରେ ସରକାରଙ୍କ ନିବଟରେ ଦାବି ଉପସ୍ଥାପିତ । ସେପଟେ ପୂର୍ଣ୍ଣ ଅନୁଦାନ ଦାବିରେ ରାଜରାସ୍ତାରେ ବେସରକାରୀ ଅଧ୍ୟାପକ । ଶ୍ରୀକ୍ଷେତ୍ରରୁ ପଦଯାତ୍ରା କରି ପହଞ୍ଚିଛନ୍ତି ଏକାମ୍ରକ୍ଷେତ୍ର । …ଗତ ୨୦୨୪ ମାର୍ଚ୍ଚ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୭୮୬ଟି Non-Government Aided College ପାଇଁ ଅଧ୍ୟାପକ ପଦବୀ ସୃଷ୍ଟି କରାଯାଇଥିଲା। ଏହି ପଦବୀଗୁଡ଼ିକ ପାଇଁ ୨୦୨୪ ମସିହା ଜୁନ୍ ମାସରେ ପରୀକ୍ଷା ହେବାର ଥିଲା । କିନ୍ତୁ ସାଧାରଣ ନିର୍ବାଚନ ଓ ସରକାର ପରିବର୍ତ୍ତନ ପରିପକ୍ଷିରେ ସେହି ପରୀକ୍ଷା ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଏହି ମାମଲା ଉଚ୍ଚନ୍ୟାୟାଳୟକୁ ଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମାମଲାର ନିଷ୍ପତ୍ତି ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଏଥିରେ ସରକାର ଓ ଆଶାୟୀମାନେ ମିଳିତ ଭାବେ ଡିଭିଜନ୍ ବେଞ୍ଚ ସମ୍ମୁଖରେ ନିଜ ନିଜ ପକ୍ଷ ରଖିଥିଲେ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ସରକାର ଆଉ ତାଙ୍କ ପକ୍ଷ ରଖୁନଥିବା ଅଭିଯୋଗ ହୋଇଛି । ଏହି ବିଳମ୍ବ ମଧ୍ୟରେ ପ୍ରାୟ ୫,୦୦୦ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ଆବେଦନକାରୀ କହିଛନ୍ତି। ଏହା ସହିତ ୨୦୨୪ ପରବର୍ତ୍ତୀ ବର୍ଷଗୁଡ଼ିକରେ PG ସମାପ୍ତ କରିଥିବା ପ୍ରାୟ ୬୦,୦୦୦ ଆଶାୟୀ ଅଧ୍ୟାପକ ହେବାର ସ୍ୱପ୍ନ ନେଇ ଅପେକ୍ଷା କରିଛନ୍ତି । ସରକାର ନଭେମ୍ବର ମାସର ଶୁଣାଣି ପୂର୍ବରୁ ଆବଶ୍ୟକ ଆମେଣ୍ଡମେଣ୍ଟ ବା  କୋର୍ଟ ଲିଷ୍ଟ  ଦାଖଲ କରି  ମାମଲାର ଆଇନଗତ ପ୍ରକ୍ରିୟାକୁ ସମାପ୍ତ କରିବା ସହ ନଭେମ୍ବର ମାସ ଶେଷ ସୁଦ୍ଧା ଅଧ୍ୟାପକ ପଦବୀ ପାଇଁ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆବେଦନକାରୀ ।

ସେହିପରି ରାଜ୍ୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ପୁର୍ଣ୍ଣ ଅନୁଦାନ ଦାବିରେ ଗତ ୨୨ ତାରିଖରେ ଶ୍ରୀକ୍ଷେତ୍ରରୁ ପଦଯାତ୍ରାରେ ବାହାରି ଆଜି ଏକାମ୍ର କ୍ଷେତ୍ରରେ ପହଞ୍ଚିଛି । ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣ ଦେଇଛି ସଂଘ । ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଏହି ଦାବିରେ ପଦଯାତ୍ରା କରି ସରକାରଙ୍କ ନିକଟରେ ଅଭିନବ ପ୍ରତିବାଦ କରିଛି ।  ପ୍ରାୟ ୫ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ନିଜର ଦାବି ନେଇ ବିଧାନସଭା ଘେରାଉ ଉଦ୍ୟମ କରିଥିଲା ସଂଘ। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ସହ ଦାବି ହାସଲ ନ ହେବା ଯାଏ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଂଘ ।….

ଅନ୍ୟ ଦିଗରେ ଲୋୟର ପିଏମଜିରେ ଧାରଣାରେ ବସି ରହିଥିବା ଆଶାୟୀ ଅଧ୍ୟାପକ ୮ ଦିନ ଧାରଣା ଦେବା ପରେ କିଛି ଆବେଦନକାରୀ ଅସୁସ୍ଥ ହୋଇଛନ୍ତି । କିନ୍ତୁ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

Latest Posts

Don't Miss