ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥାକୁ ନେଇ ଆସିଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ବୈଠକରେ ଚୂଡାନ୍ତ ହେଲା କାର୍ତ୍ତିକ ନୀତି ନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳ ଧୂପ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଅନୁଷ୍ଠିତ ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଛଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହରିହର ବେଶ ହେବ ।

୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ସେହିପରି ୧୬ ତାରିଖରେ ବାଙ୍କଚୁଡା ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି ହେବ । ୧୭ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ, ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ପୂର୍ବରୁ ସର୍ବସାଧାରଣ ଦର୍ଶନ ହେଉଥିଲା, ବର୍ତ୍ତମାନ ବନ୍ଦ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି ।

Leave a Reply