ଟି-୨୦ ରାଙ୍କିଂ ଟପ୍-୫ରେ ନାହାଁନ୍ତି ଭାରତୀୟ ଖେଳାଳି; ବାବର ନମ୍ବର-୧ ବ୍ୟାଟ୍ସମ୍ୟାନ

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଶେଷ ହେବା ପରେ ଆଇସିସି ପୁରୁଷ ବର୍ଗରେ ଟି-୨୦ ରାଙ୍କିଂ ଜାରି କରିଛି । ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ । ସେହିପରି ଭାବରେ ଚଳିତ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ପକ୍ଷରୁ ଦମଦାର ବୋଲିଂ କରିଥିବା ଆଡାମ ଜାମ୍ପା ବୋଲିଂ ରାଙ୍କିଂରେ ତୃତୀୟ ସ୍ଥାନକୁ ଉଠିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ନୂଆ କରି ପ୍ରକାଶ ପାଇଥିବା ରାଙ୍କିଂରେ ବ୍ୟାଟିଂ, ବୋଲିଂ କି ଅଲରାଉଣ୍ଡରେ ଟପ୍-୫ ମଧ୍ୟରେ କୌଣସି ଭାରତୀୟ ଖେଳାଳି ନାହାନ୍ତି । ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ଅଷ୍ଟମ ସ୍ଥାନରେ ରହିଛନ୍ତି । ବୋଲିଂ କି ଅଲରାଉଣ୍ଡରେ ତାଲିକାରେ କୌଣସି ଭାରତୀୟ ଟପ୍-୧୦ ମଧ୍ୟରେ ମଧ୍ୟ ନାହାନ୍ତି ।

ଟି-୨୦ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେବୋନ କନଓ୍ବେ ୪୬ ରନ କରିଥିଲେ । ଯାହା ଫଳରେ ସେ ବ୍ୟାଟ୍ସମ୍ୟାନ ତାଲିକାରେ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ ବଲରେ ୭୭ ରନ କରି ଅଷ୍ଟ୍ରେଲିଆକୁ ଚମ୍ପିଆନ କରିବାରେ ବଡ଼ ଭୂମିକା ତୁଲାଇଥିଲେ । ଯାହା ଫଳରେ ଟି-୨୦ ରାଙ୍କିଂରେ ସେ ୧୩ତମ ସ୍ଥାନରେ ଆସି ପହଞ୍ଚିଛନ୍ତି ।

ବୋଲିଂ ରାଙ୍କିଂ କଥା ଯଦି କହିବା ତାହାଲେ ବୋଲିଂ ରାଙ୍କିଂରେ ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କା ସ୍ପିନର ଓ୍ବାନେଡୁ ହସରଙ୍ଗା ।ସେହିପରି ଦ୍ବିତୀୟ ସ୍ଥାନରେ ଅଛନ୍ତି ତାରବିଜ୍ ସାମସି । ତେବେ ବିଶ୍ବକପରେ ଦମଦାର ବୋଲିଂ ଫଳରେ ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ଆଡାମ ଜାମ୍ପା । ତେବେ ବୋଲିଂ ରାଙ୍କିଂରେ ଆଦିଲ ରସିଦ ଓ ରସିଦ ଖାନ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି । ଜମ୍ପାଙ୍କ ବ୍ୟତୀୟ ଜୋଶ ହେଜେଲଉଡ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଅଲରାଉଣ୍ଡର କଥା ଯଦି କହିବା ତାହାଲେ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ଫଳରେ ୭ଟି ସ୍ଥାନ ଉପରକୁ ଉଠିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଅମ ଲିଭିଙ୍ଗଷ୍ଟୋନ । ଲିଭିଙ୍ଗଷ୍ଟୋନ ତୃତୀୟ ସ୍ଥାନରେ ଏବେ ରହିଛନ୍ତି ।  ତେବେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବି ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ଶକିବ ଉଲ ହାସନ । ତେବେ ଲିଭିଙ୍ଗଷ୍ଟୋନଙ୍କ ବ୍ୟତୀତ ମୋଏନ ଅଲ୍ଲୀ ବି ତିନୋଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି ।

Leave a Reply