ଶପଥ ନେଲେ ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ଯୋଦ୍ଧା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।

ପ୍ରଥମେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଶପଥ ନେଇଥିଲେ । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଚାସୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଷ୍ଟ୍ର ମନ୍ତ୍ରୀମାନେ ଶପଥ ନେଇଥିଲେ । ପ୍ରଥମେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶପଥ ନେଇଥିଲେ । ଏହାପରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କାକଟପୁର ତୁଷାରକାନ୍ତି ବେହେରା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରିତା ସାହୁ ଏବଂ କରଞ୍ଜିଆ ବିଧାୟିକ ବାସନ୍ତି ହେମ୍ବ୍ରମ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କ୍ୟାବିନେଟ, ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ପାହ୍ୟା) ଭାବେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ୭ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୯ ଜଣ ମନ୍ତ୍ରୀଙ୍କୁ ପୁଣି ମନ୍ତ୍ରୀପଦ ମିଳିଛି । ଏହାସହ ୫ ଜଣ ପୂର୍ବତନ ମନ୍ତ୍ରୀ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ।