LACରେ ଚୀନର ମୁକାବିଲା ପାଇଁ ସଜାଗ ନୂଆ ଆଭିଏସନ ବ୍ରିଗେଡ

1 min read

ନୂଆଦିଲ୍ଲୀ: ଚୀନର ମୁକାବିଲା ଲାଗି ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମୁତୟନ ସେନାର ନୂଆ ଆଭିଏସନ ବ୍ରିଗେଡ । ଆସାମର ତେଜପୁର ନିକଟସ୍ଥ ମିସାମାରୀରେ ନିୟୋଜିତ ଏହି ବ୍ରିଗେଡ ନିକଟରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ବା ଏଏଲଏଚ, ଚିତା ହେଲିକପ୍ଟର ଓ ହେରୋନ ଡ୍ରୋନ ରହିଛି । ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଏହି ବାହିନୀ ଶତ୍ରୁ ରାଷ୍ଟ୍ରକୁ କଡା ଟକ୍କର ଦେବାର କ୍ଷମତା ହାସଲ କରିଛି । ଏହାସହ ଏହି ବାହିନୀ ସୀମାରେ ହେଉଥିବା ଘଟଣାବଳୀ ପ୍ରତି ତୀକ୍ଷ୍ଣ ନଜର ରଖିପାରିବା ସହ ଗୁଇନ୍ଦା ତଥ୍ୟ ପ୍ରଦାନ କରିପାରିବ ।

ଏଠାରେ ଆଭିଏସନ ବ୍ରିଗେଡର ୩ଟି ସ୍କ୍ୱାଡ୍ରନ ମୁତୟନ ହୋଇଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମି ଦାଧୱାଲ କହିଛନ୍ତି, ଏହି ବାହିନୀ ହାତରେ ସ୍ୱଦେଶୀ ନିର୍ମିତ ଅନେକ ଯନ୍ତ୍ରପାତି ରହିଛି । ଯାହାକି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇପାରୁଛି । ବିଭିନ୍ନ ସାମରିକ ଅପରେସନରେ ଏହା ଭାରତ ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି । ଯେ କୌଣସି ସ୍ଥାନ, ଉଚ୍ଚତା ଓ ପାଗରେ ଏହି ହେଲିକପ୍ଟର ଗୁଡିକ କାର୍ଯ୍ୟକ୍ଷମ ହୋଇପାରିବେ ଏବଂ ସୈନ୍ୟ ମୁତୟନ କରିପାରିବେ । ପୂର୍ବାଞ୍ଚଳ ଲଦାଖରେ ଏଲଏସିର ଦୁଇ ପାଖରେ ଉଭୟ ଭାରତ ଓ ଚୀନର ପ୍ରାୟ ୫୦ ହଜାର ସୈନ୍ୟ ବର୍ତ୍ତମାନ ବି ମୁତୟନ ରହିଛନ୍ତି ।

ପାଟ୍ରୋଲିଂ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଚୀନର ଅଗ୍ରାହ୍ୟ ପରେ ଭାରତ ଏଲଏସିର ସୁରକ୍ଷା ପ୍ରତି ଗୁରୁତ୍ବ ଦେଇଛି । କିଛି ଦିନ ତଳେ ସେନାମୁଖ୍ୟ ଜେନରାଲ ଏମ.ଏମ ନରୱାଣେ କହିଥିଲେ- ଏଲଏସିରେ ଅନେକ ଭିତ୍ତିଭୂମି ତିଆରି କରିଥିବାରୁ ଚୀନ ସହଜରେ ଏଲଏସି ଛାଡିବ ନାହିଁ । ସେପଟେ ଚୀନର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବା ଲାଗି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଏଲଏସିରେ ମଧ୍ୟ ମୁତୟନ ରହିଛି ହେରୋନ ଡ୍ରୋନ, ଏଏଲଏଚ ଧ୍ରୁବ ଓ ରୁଦ୍ର । ସାମରିକସ୍ତରୀୟ କଥାବାର୍ତ୍ତା ବିଫଳ ହେବା ପରେ ଏଲଏସି ପ୍ରତି ବେଶ୍ ସଜାଗ ରହିଛି ଭାରତ ।

Leave a Reply