ଜିଦରେ ଅଟଳ ନେପାଳ: ସଂସଦରେ ଆଗତ କଲା ନକ୍ସା ସଂଶୋଧିତ ବିଲ

ପାଟଣା: ନୂଆ ନକ୍ସାକୁ ନେଇ ଭାରତ ଏବଂ ନେପାଳ ମଧ୍ୟ ତିକ୍ତତା ଜାରି ରହିଛି । ଏଭଳି ପରିସ୍ଥିତିରେ ନେପାଳ ସଂସଦରେ ଆଗତ ହୋଇଛି ନୂଆ ନକ୍ସା ସଂଶୋଧିତ ବିଲ୍ । ନେପାଳର ଆଇନ ମନ୍ତ୍ରୀ ଶିବମାୟା ନୂଆ ନକ୍ସା ସମ୍ପର୍କରେ ସଂସଦରେ ବିଲ୍ ଆଗତ କରିଛନ୍ତି । ନେପାଳର ଏହି ନୂଆ ନକ୍ସାରେ ଭାରତର କାଳାପାଣି, ଲିପୁଲେଖା ଏବଂ ଲିମ୍ପିଆଧୁରାକୁ ସାମିଲ କରିଛି ।

ଗତ କିଛି ଦିନ ମଧ୍ୟରେ ନେପାଳ ସହିତ ଭାରତର ସମ୍ପର୍କରେ ତିକ୍ତତା ଆସିଯାଇଛି । ନେପାଳୀ କଂଗ୍ରେସ ନେପାଳର ନକ୍ସାକୁ ଅପଡେଟ୍ କରିବା ପାଇଁ ଆଗତ ସଂଶୋଧିତ ବିଲ୍‌କୁ ସମର୍ଥନ କରିଛି । ଲିପୁଲେଖା, ଲିମ୍ପିଆଧୁରା ଏବଂ କଳାପାଣି ବିବାଦିତ କ୍ଷେତ୍ରକୁ ନିଜ କ୍ଷେତ୍ରରେ ସାମିଲ କରିବାକୁ ଚାହୁଁଛି । ଏହି ପଦକ୍ଷେପ ନେପାଳ ନକ୍ସାକୁ ବଦଳାଇବା ପାଇଁ ନିଆଯାଉଛି ।

ନେପାଳ ନିଜର ନୂଆ ରାଜେନୖତିକ ନକ୍ସାରେ ଭାରତର କିଛି ଅଂଶ ଦର୍ଶାଇଥିଲା । ସେତେବେଳେ ଭାରତ ପକ୍ଷରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ନେପାଳକୁ ଭାରତର ସଂପ୍ରଭୁତାକୁ ସମ୍ମାନ କରିବା ଆବଶ୍ୟକ ।

ବିବାଦର କାରଣ କ’ଣ

ନେପାଳ ସରକାରଙ୍କ ପକ୍ଷରୁ ନୂଆ ନକ୍ସାରେ ଭାରତର କଳାପାଣି, ଲିପୁଲେଖା, ଲିମ୍ପିଆଧୁରା ମଧ୍ୟ ସାମିଲ କରାଯିବାକୁ ନେଇ ଭାରତ ପକ୍ଷରୁ ଆପତ୍ତି ଉଠାଯାଇଥିଲା । ନେପାଳ କ୍ୟାବିନେଟରେ ବୈଠକରେ ଭୂମି ସଂଶୋଧନ ମନ୍ତ୍ରାଳୟ ପକ୍ଷରୁ ଏହି ସଂଶୋଧିତ ନକ୍ସା ଜାରି କରାଯାଇଛି । ସେତେବେଳେ କ୍ୟାବିନେଟରେ ଉପସ୍ଥିତ ସଦସ୍ୟ ନୂଆ ନକ୍ସା ସମର୍ଥନରେ ମତ ଦେଇଥିଲେ । କିନ୍ତୁ ଏହାକୁ ବିରୋଧ କରିଛି ଭାରତ । ନେପାଳ ଅନ୍ୟର ଚାପରେ ଏଭଳି କରୁଥିବା ନେଇ ମଧ୍ୟ କୁହାଯାଇଛି । ନେପାଳର ଏଭଳି କାର୍ଯ୍ୟ ପାଇଁ ପରୋକ୍ଷରେ ଚୀନକୁ ଦାୟୀ କରିଛି ଭାରତ ।

Leave a Reply