ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେବ ତଦନ୍ତ: ସମୀର ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଛାନ୍‌ଭିନ୍ କରିବ ଭିଜିଲାନ୍ସ

ମୁମ୍ୱାଇ: ବିବାଦରେ ଫସିଥିବା ମୁମ୍ବାଇ ଏନସିବିର ଜୋନାଲ ହେଡ୍ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ହେବ ତଦନ୍ତ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବେ ୫ ଜଣିଆ ତଦନ୍ତକାରୀ ଟିମ୍ । ଓ୍ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହଙ୍କ ନେତୃତ୍ୱରେ ହେବ ତଦନ୍ତ । ସେହିଭଳି ଦିଲ୍ଲୀରେ ଥିବା ସମୀର ଓ୍ୱାଙ୍ଖଡେ ମଧ୍ୟ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ପଦରୁ ସମୀର ଓ୍ୱାଙ୍ଖଡେଙ୍କୁ ହଟାଯିବ କି ନାହିଁ ତାହା ସ୍ପଷ୍ଟ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯିବ ।

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପ୍ରସଙ୍ଗରେ ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସୁଛି ତାହାକୁ ତର୍ଜମା କରାଯାଉଛି । ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏନସିବି ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ । ତଥାକଥିତ ପ୍ରାଇଭେଟ ଇନଭେଷ୍ଟିଗେଟର ତଥା ରେଭ ପାର୍ଟି ମାମଲାରେ ପଡିଥିବା ସାକ୍ଷୀ କେ.ପି. ଗୋସାଭିଙ୍କ ଡ୍ରାଇଭର ପ୍ରଭାକର ସାଇଲ ଓ୍ୱାଙ୍ଗଡ଼େଙ୍କ ବିରୋଧରେ ଆଣିଥିଲେ ଗୁରୁତର ଅଭିଯୋଗ । ପ୍ରଭାକର ଅଭିଯୋଗ କରିଥିଲେ ଯେ, ଗୋସାଭି ଓ ସାମ ଡିସୋଜାଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା । ଏଥିରେ ଆର୍ଯ୍ୟନଙ୍କ ମୁକ୍ତି ଲାଗି ଏନସିବି 25 କୋଟି ଟଙ୍କା ଦାବି କରିଥିବା ବେଳେ, 18 କୋଟି ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା । ସେଥିରୁ ଓ୍ବାଙ୍ଖଡେଙ୍କୁ 8 କୋଟି ଟଙ୍କା ଦେବା ଲାଗି ଦୁଇ ଜଣ କଥା ହୋଇଥିଲେ । ସେପଟେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଭାକର । ସେ କହିଛନ୍ତି ତାଙ୍କର କୌଣସି ମନ୍ତ୍ରୀଙ୍କ ସହ ସମ୍ପର୍କ ନାହିଁ ବା ସେ କାହାରି ଚାପରେ କିଛି କହୁନାହାନ୍ତି । ତେବେ ଓ୍ବାଙ୍ଖଡେଙ୍କ ବିରୋଧରେ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । ଗୋସାଭି ଆତ୍ମସମର୍ପଣ କରିବା ପରେ ସେ ସବୁ କଥା କହିବେ ।

ଏଥିସହିତ ପଢ଼ନ୍ତୁ: ତୈଳ ଦରରେ ଲାଗିଛି ନିଆଁ: ଭୁବନେଶ୍ୱରରେ ୧୦୮.୯୦ଟଙ୍କାରେ ପହଞ୍ଚିଲା ପେଟ୍ରୋଲ

Leave a Reply