ଦୀପିକାଙ୍କ ମ୍ୟାନେଜରଙ୍କ ଘରେ ଏନସିବି ଚଢଉ,ଚରସ ଓ ଭାଙ୍ଗ ତେଲ ଜବତ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଘର ଉପରେ ମଙ୍ଗଳବାର ରାତିରେ ଏନସିବି(ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଚଢାଉ କରିଛି । ଚଢାଉରୁ ୧.୭ ଗ୍ରାମ ଚରସ ଓ ଅତିକମରେ ଦୁଇ ବୋତଲ ଭାଙ୍ଗ ତେଲ(ସିବିଡି ଅଏଲ) ଜବତ ହୋଇଛି । କରିଶ୍ମା ପ୍ରକାଶଙ୍କୁ ଆଗରୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏନସିବି ପଚରାଉଚରା କରି ସାରିଛି ।

ଏହି ଚଢଉ ବାବଦରେ ସୂଚନା ଦେଇ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ, ବଲିଉଡରେ ଡ୍ରଗ୍ସ ନେଟୱର୍କର ତଦନ୍ତ କାଳରେ ଜଣେ ଡ୍ରଗ୍ସ ପେଡଲର କରିଶ୍ମାଙ୍କ ନାମ ନେଇଥିଲା । ତେଣୁ ମଙ୍ଗଳବାର ଦିନ ତାଙ୍କ ଘର ଉପରେ ଚଢଉ ହୋଇଥିଲା ।

ଅଧିକାରୀଙ୍କ ଅନୁସାରେ ରେଡ୍ କାଳରେ କରିଶ୍ମା ଘରେ ନଥିଲେ । ଗୁରୁବାର ଦିନ ଅଧିକ ପଚରାଉଚରା ପାଇଁ କରିଶ୍ମାଙ୍କୁ ଏନସିବି ଅଫିସ ଆସିବାକୁ କୁହାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସୁଥିବା ଜଣା ପଡିଛି । ସେ ଏବେ କେଉଁଠାରେ ଅଛନ୍ତି ସେ ବାବଦରେ ଏନସିବି ପାଖରେ କୌଣସି ସୂଚନା ନାହିଁ ।

ଏନସିବି ଅନୁସାରେ କରିଶ୍ମା ଏନଡିପିଏସ ଆଇନର ଧାରାର ଉଲ୍ଲଂଘନ କରିଛନ୍ତି । ଏମିତିରେ ତାଙ୍କ ବିରୋଧରେ ଏତଲା ଦାଏର ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ ଦୀପିକା ପାଦୁକୋନଙ୍କ ସଂପୃକ୍ତିର କୌଣସି ତଥ୍ୟ ମିଳିନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ଦୀପିକା ଏନସିବି ସମ୍ମୁଖରେ ହାଜର ହୋଇଥିଲେ ।

Leave a Reply