ଜାଣନ୍ତୁ ଲକ୍ଷ୍ମଣ ବାଗଙ୍କୁ କଣ କହିଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକ, ଓଡିଶା ରାଜନୀତିର ଦ ଟଲ ମ୍ୟାନ  । ଏଥର ତାଙ୍କ ନେତୃତ୍ବରେ ବିଜେଡି ଓଡ଼ିଶାରେ ସରକାର ଗଠନ କରିପାରିଲା ନାହିଁ । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ ନବୀନ। ହେଲେ ବିଧାନସଭାରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ସେ ସିନା ଗୃହର ନେତା ନୁହଁନ୍ତି, କିନ୍ତୁ ସବୁ ବିଧାୟକଙ୍କ ହୃଦୟର ନେତା । ସରକାରୀ ହୁଅନ୍ତୁ କିମ୍ବା ବିରୋଧୀ ଦଳର, ନବୀନଙ୍କୁ ବିଧାନସଭାରେ ଦେଖି ଆପେ ଆପେ ସମ୍ମାନ ଜଣାଇବାକୁ ଛିଡା ହୋଇଯାଉଛନ୍ତି ।

ଆଜି ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଏମିତି କିଛି ଦୃଶ୍ୟ ପ୍ରମାଣିତ କରିଛି ନବୀନ କେବଳ ଉଚ୍ଚତାରେ ନୁହେଁ, ପ୍ରକୃତରେ ସେ ଓଡିଶା ରାଜନୀତିର ଟଲ୍ ମ୍ୟାନ । ଅସ୍ଥାୟୀ ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଷଷ୍ଠଥର ପାଇଁ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ବାଚସ୍ପତିଙ୍କ ପୋଡିୟମରୁ ନିଜସ୍ବ ଢଙ୍ଗରେ ଓହ୍ଲାଇଥିଲେ ଶାନ୍ତ, ଭଦ୍ର କିନ୍ତୁ ପ୍ରଭାବୀ ରାଜନେତା ନବୀନ । ସାଙ୍ଗରେ ଥିଲେ ବିଜେଡିର କିଛି ବିଧାୟକ ।

ସେହି ସମୟରେ କଣ୍ଟାବାଞ୍ଝିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରି ନିଜର ପରିଚୟ ଦେଇଥିଲେ । ଆଉ ନବୀନ ତାଙ୍କୁ ଅତ୍ୟନ୍ତ ଶାବଲୀଳ ଶୈଳିରେ ପଚାରିଥିଲେ ଓହଃ ୟୁ ଡିଭିଟେଡ୍ ମି? ଏଥିସହ ନବୀନ ଲକ୍ଷ୍ମଣ ବାଗଙ୍କୁ ବିଧାୟକ ଭାବେ ଜିତିଥିବାରୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଲକ୍ଷ୍ମଣ ବାଗଙ୍କ ସହ ସ୍ବଳ୍ପ ସମୟ ପାଇଁ କଥା ହୋଇ ନବୀନ ଯେତେବେଳେ ଆଗକୁ ବଢିଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବିଜେପିର ସବୁ ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ନବୀନଙ୍କୁ ସମ୍ମାନ ଜଣାଇଥିଲେ ।

ନବୀନ ପଟ୍ଟନାୟକ ମଧ୍ୟ ସମସ୍ତଙ୍କୁ ପ୍ରତିନମସ୍କାର ସହ ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡିଶା ବିଧାନସଭାର ଏହି ଦୃଶ୍ୟରୁ ନବୀନ ବିରୋଧୀ ଦଳ ଆସନରେ ଥିଲେ ବି ସରକାରୀ ଦଳର ସବୁ ସଦସ୍ୟଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ସ୍ପଷ୍ଟ ବାରି ହେଉଥିଲା ।