ନବୀନ ଜଣାଇଲେ ଧନ୍ୟବାଦ, ବାଜି ଜିତିଲେ ଅଳକା

ଭୁବନେଶ୍ୱର: ବ୍ରଜରାଜନଗରରେ ବିଜେଡିର ବିପୁଳ ବାଜିମାତ୍ । ପ୍ରାୟ ୬୬ ହଜାରରୁ ଅଧିକ ଭୋଟରେ  ବିଜୟୀ ହୋଇଛନ୍ତି ପ୍ରାର୍ଥିନୀଙ୍କୁ ନବୀନଙ୍କ ଶୁଭେଚ୍ଛା  । ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଷ୍ଠାପର ଉଦ୍ୟମ କରିଥିବା କର୍ମୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ଏହି ବିଜୟ ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଜୟୀ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ।

ନବୀନଙ୍କ ସ୍ବାଭିମାନକୁ ବ୍ରଜନଗରବାସୀଙ୍କ ମୋହର ମାରିଛନ୍ତି ।  ୨୦ ରାଉଣ୍ଡର ଗଣତିରେ ୬୫ ହଜାର ୯୯୯ ଭୋଟରେ ବିଜୟୀ ହୋଇଛନ୍ତି ଅଳକା । ଅଳକାଙ୍କୁ ମିଳିଛି ମୋଟ ୯୩ ହଜାର ୭୯୦ ଖଣ୍ଡ ଭୋଟ । ଦ୍ବିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । କିଶୋର ପଟେଲଙ୍କୁ ମୋଟ ୨୭ ହଜାର ୭୯୧ ଭୋଟ ମିଳିଛି । ସେହିପରି ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ରହିଛନ୍ତି ।

୨୦୧୪ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ରାଧାରାଣୀ ପଣ୍ଡା ଏଥର ଅମାନତ ହରାଇଛନ୍ତି  । ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମୋଟ ୨୨ ହଜାର ୫୬୦ ଭୋଟ ମିଳିଛି । ଅଳକାଙ୍କ ବିଜୟ ପରେ ବ୍ରଜରାଜନଗରରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ ।