ନବୀନଙ୍କ ଉଦ୍ୟମକୁ ମୋହର ମାରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍, ନବୀନ ହିରୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଯୁକ୍ତିକୁ ସମ୍ମାନ ଦେଲେ କେନ୍ଦ୍ର ସରକାର । ଆଗରୁ ୪ ଥର ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆସିଥିଲା ସତ, କିନ୍ତୁ କେନ୍ଦ୍ରର ଆନ୍ତରିକତା ଅଭାବରୁ ସଂସଦରେ ପାରିତ ହୋଇପାରିନଥିଲା । ୨୦୧୮ରୁ ବିଧାନସଭାରେ ସଂକଳ୍ପ ପାରିତ କରାଇ ଜାତୀୟ ସ୍ତରରେ ସବୁ ଦଳର ସହମତି ଆଣିବାରେ ନବୀନ ସାଜିଥିଲେ ପ୍ରଥମ ପୁରୋଧା । ଖାଲି ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପାଇଁ ଏକ ତୃତୀୟାଂଶ ପ୍ରାର୍ଥୀ ଦେଇ ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ ନୂଆ ଇତିହାସ ।

ମହିଳାଙ୍କୁ ହକ ଦେବ ମହିଳା ସଂରକ୍ଷଣ ବିଲ୍ । ଚାମ୍ପିୟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଉଦ୍ୟମକୁ ମୋହର ମାରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ରହିବ ଏକ ତୃତୀୟାଂଶ ଆସନ ସଂରକ୍ଷଣ । ବିଲ୍ ପାଇଁ ହେବ ସମ୍ବିଧାନ ସଂଶୋଧନ । ଯାହାର ବିନ୍ଧାଣି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୬, ୧୯୯୮, ୧୯୯୯ ଓ ୨୦୧୦ରେ ସଂସଦରେ ଆସିଥିଲା ମହିଳା ସଂରକ୍ଷଣ ବିଲ୍ । କିନ୍ତୁ ଆନ୍ତରିକତା ଅଭାବରୁ କେତେବେଳେ ଲୋକସଭା ତ କେତେବେଳେ ରାଜ୍ୟସଭାରେ ବିଲ୍ର ଭାଗ୍ୟ ନାଲିଫିତା ତଳେ ଚାପି ହୋଇ ରହିଗଲା।

ହେଲେ ମହିଳାଙ୍କୁ ହକ୍ ଦେବା ପାଇଁ ନବୀନଙ୍କ ହୃଦୟ କିନ୍ତୁ ବୁଝୁନଥିଲା । କେନ୍ଦ୍ରାପଡାରେ ଏକ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଘୋଷଣା କଲେ ମହିଳାଙ୍କୁ ୨୦୧୯ ନିର୍ବାଚନରେ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ବିଜେଡି ୩୩ ପ୍ରତିଶତ ପ୍ରାର୍ଥୀ ଦେବ। ଏହାପରେ ୨୦୧୮ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ପାରିତ କରାଇଲେ ସଂକଳ୍ପ । ଖାଲି ସେତିକି ନୁହେଁ, ଜାତୀୟ ସ୍ତରରେ ସହମତି ପାଇଁ ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କ ସହଯୋଗ ଲୋଡିଥିଲେ। ଏତିକିରେ ଚୁପ ବସିଲେନି ନବୀନ । ଲଗାତର କେନ୍ଦ୍ର ଆଗରେ ଦାବି କରିବା ସହ ସଂସଦର ପ୍ରତି ଅଧିବେଶନରେ ବିଜେଡି ସାଂସଦମାନେ ଜୋରଦାର ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲଗାତାର ସଂଗ୍ରାମର ଫଳ ଏବେ ଦେଶର ମହିଳାଙ୍କ ପାଇଁ ଲେଖିବ ଗୌରବ ନୂଆ ଇତିହାସ ।

ତୃଣମୂଳ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୧୯୯୨ରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଦେଶରେ ନୂଆ ଇତିହାସ ସୃଷ୍ଟି କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ନବୀନ ଆଉ ପାଦେ ଆଗେଇ ୨୦୧୧ ଓ ୨୦୧୨ରେ ପଞ୍ଚାୟତ ଓ ପୌର ପରିଷଦରେ ମହିଳାଙ୍କ ପାଇଁ ସଂରକ୍ଷଣ ହାର ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ବିରୋଧୀ ବି ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି ।

ମହିଳାମାନେ ଗଣତନ୍ତ୍ରର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ପାଇବାକୁ ଯାଉଛନ୍ତି। ଦେଶର ସମ୍ବିଧାନରେ ମହିଳା ସଶକ୍ତିକରଣର ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖା ହେବ । ଯାହା ନବୀନଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ସମ୍ଭବ ହେବାକୁ ଯାଉଛି ।