ଭୁବନେଶ୍ବର / ଜଗତସିଂହପୁର : ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ଯେଉଁ ବିକାଶ ଏ ସବୁ ସ୍ଥାନରେ ଦେଖୁଛନ୍ତି ୨୫ ବର୍ଷ ତଳେ ଏହା ସନ୍ଦେହ ଥିଲା। କାରଣ ୧୯୯୯ ଅକ୍ଟୋବର ୨୯ ଓ ୩୦ ତାରିଖରେ ଯେଉଁ ମହାବାତ୍ୟା ହୋଇଥିଲା, ତାହା ଓଡ଼ିଶାର ଅନେକ ଅଞ୍ଚଳକୁ ଛାରଖାର କରି ଦେଇଥିଲା। ଯେଉଁ ଆଡ଼େ ଦେଖିବ ମଣିଷ ଓ ପଶୁଙ୍କ ଶବ। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଘର। ସର୍ବାଧିକ କ୍ଷତି ସହିଥିଲା ଜଗତସିଂହପୁର । ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା।ସେ ସମୟରେ ନା ଥିଲା ବାତ୍ୟାର ପ୍ରାକ୍ ସୂଚନା ନା ବାତ୍ୟା ପରବର୍ତ୍ତୀ ମୁକାବିଲା ରଣନୀତି। ରାଜ୍ୟରେ କଂଗ୍ରେସ ଶାସନର ଏହା ଥିଲା ସବୁଠାରୁ ବଡ଼ ବିଫଳତା। କେନ୍ଦ୍ରରେ ଥିବା ଏନଡିଏ ସରକାରରେ ମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ।ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ପାଇଁ ରିଲିଫ ବ୍ୟବସ୍ଥା କରିଥିଲେ ।
ମହାବାତ୍ୟା ପ୍ରଭାବରୁ ପୁଣି ଥରେ ଭୋକର ଭୁଗୋଳ ଆଡ଼କୁ ଗତି କରୁଥିଲା ଓଡ଼ିଶା। ହେଲେ ଓଡ଼ିଶାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଭାବେ ଆସିଥିଲେ ନବୀନ ପଟ୍ଟନାୟକ। ଧ୍ଵସ୍ତବିଧ୍ଵସ୍ତ ଓଡ଼ିଶାର ବିକାଶ ନକ୍ସା ପ୍ରସ୍ତୁତ କରିଥିଲେ। ନବୀନଙ୍କ ୨୪ ବର୍ଷ ଶାସନରେ ଫାଇଲିନ୍, ହୁଡହୁଡ୍, ଅମ୍ପନ, ୟସ ଓ ଫନି ଭଳି ବିରାଟ ବାତ୍ୟାର ସାମ୍ନା କରିଛି ଓଡ଼ିଶା।ହେଲେ ନବୀନ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି। ପ୍ରତି ଜୀବନ ମୂଲ୍ୟବାନର ମିଶନ ନେଇ କାମ କରିଚାଲିଥିଲେ ନବୀନ। ୧୯୯୯ରେ ଥିବା ୨୩ ବହୁମୁଖୀ ଆଶ୍ରୟସ୍ଥଳୀର ସଂଖ୍ଯା ଆଜି ୯୦୦ରେ ଆସି ପହଞ୍ଚିଛି। ଏଥିରୁ ୪୫୦ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ୨୦୦୧ରେ ଓଡ୍ରାଫ୍ ଗଠନ କରିଥିଲେ।ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଯାଇ ଓଡ୍ରାଫ୍ ୟୁନିଟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରି ଫେରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ ସୂଚନା ଲାଗି ୨୦୧୬ରୁ କାର୍ଯ୍ୟକାରୀ ହେଉଛି ଅର୍ଲି ଓ୍ବାର୍ଣ୍ଣି ସିଷ୍ଟମ।କିଛି ଦିନ ତଳେ ହୋଇଥିବା ଦାନା ବାତ୍ୟାରେ ନବୀନଙ୍କ ଏହି ମେକାନିଜିମ ମୁକାବିଲା ପାଇଁ ବର୍ତ୍ତମାନର ସରକାରଙ୍କ ପାଇଁ ବରଦାନ ସଦୃଶ ଥିଲା ।
ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଜାତିସଂଘ ବି ନବୀନଙ୍କ ଭୂୟସୀ ପ୍ରଶଂସା କରିଛି।ଗଣମାଧ୍ୟମ ନବୀନ ମେକାନିଜିମ୍ ଦେଖି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଓଡ଼ିଶାଠାରୁ ଶିଖିବା କଥା ବୋଲି ମତ ରଖିଛନ୍ତି। ୨୪ ବର୍ଷର ସ୍ଥାୟୀ ସରକାର ଦେଇ ଓଡ଼ିଶାକୁ ଦେବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ, ତାହା ପ୍ରାକୃତିକ ବିପର୍ଯ୍ୟୟକୁ ପଛକୁ ଠେଲି ବିକାଶର ସୋପାନରେ ଓଡ଼ିଶାକୁ ପହଞ୍ଚାଇବାରେ ସକ୍ଷମ ହୋଇଛି।

