ନନ୍ଦିଘୋଷ ଟିଭି ପ୍ରଭାବ: ବନ୍ଧା ହେଲେ ନୃଶଂସ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜଧାନୀରେ କେଶୁରା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସହିଦନଗର ପୋଲିସ ଅଭିଯୁକ୍ତକୁ ପିପିଲି ଅଞ୍ଚଳରୁ କାବୁ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛି ।

ଖବର ପ୍ରସାରଣ ପରେ ଚେତିଲା ପୋଲିସ । ଆଗ ଆତ୍ମହତ୍ୟା, ପରେ ହତ୍ୟା ମାମଲା ରୁଜୁ । ନିଶା ନିବାରଣ କେନ୍ଦ୍ରରେ ଚାଲିଥିଲା ଅମାନୁଷିକ କାଣ୍ଡ । ଲୁଚି ପଳାଇବାରୁ ପିଟିପିଟି ମାରିଦେଲେ କର୍ତ୍ତୃପକ୍ଷ । ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ବଢୁଥିବା ଖବର କିଛିଦିନ ତଳେ ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । କୃପା ଫାଉଣ୍ଡେସନରେ ଏସଓପି ଅମାନ୍ୟ ସହ ତ୍ରିନାଥ ସେଠୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଫାଉଣ୍ଡେସନ ପ୍ରତି ପୋଲିସର ଅନୁକମ୍ପା ଅଭିଯୋଗ ନେଇ ଖବର ପ୍ରସାରଣ ହୋଇଥିଲା । ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ ବସିଥିବା ପୋଲିସ ଶେଷରେ ହତ୍ୟା ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ କୀର୍ତ୍ତି ତ୍ରିପାଠୀକୁ ପିପିଲିରୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ପୋଲିସ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ଏସିପି କହିଛନ୍ତି ।

ଅଗଷ୍ଟ ୫ ତାରିଖରେ ତ୍ରିନାଥ ସେଠୀ ଓ ଅନ୍ୟ ୪ ଜଣ କୃପା ଫାଉଣ୍ଡେସନରୁ ଖସି ପଳାଇଥିଲେ । ଖୋଜାଖୋଜି ପରେ ତ୍ରିନାଥଙ୍କ ସହ ଅନ୍ୟ ଦୁଇ ଜଣ ଧରାପଡ଼ିଥିଲେ । ତ୍ରିନାଥଙ୍କୁ କୃପା ଫାଉଣ୍ଡେସନ ମାଲିକ କୀର୍ତ୍ତି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତ୍ରିନାଥ ପ୍ରାଣ ହରାଇଥିଲେ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି ।

ଅନଭିଜ୍ଞ କର୍ମଚାରୀ, ସୁରକ୍ଷାରେ ତ୍ରୁଟି ଓ ବିଭାଗୀୟ ତଦାରଖ ଅଭାବରୁ ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଘଟୁଥିବା ବେଳେ ତୁରନ୍ତ ନିକଟସ୍ଥ ଥାନରେ ଅଭିଯୋଗ କରିବାକୁ କହିଛି ପୋଲିସ ।

Leave a Reply