ନାଗାଲାଣ୍ଡ ଇତିହାସରେ ପ୍ରଥମ ମହିଳା ବିଧାୟକ, ୭ ବର୍ଷ ପୂର୍ବେ ରାଜନୀତିରେ ସାମିଲ

1 min read

କୋହିମା: ଉତ୍ତର ପୂର୍ବର ତିନି ରାଜ୍ୟ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ଚାଲିଛି ଭୋଟ ଗଣତି  । ଗତ ଫେବୃଆରୀ ୧୬ରେ ତ୍ରିପୁରାରେ ଓ ଫେବୃଆରୀ ୨୭ରେ ମେଘାଳୟ ନାଗାଲାଣ୍ଡରେ ମତଦାନ ହୋଇଥିଲା  । ତିନି ରାଜ୍ୟ ସହ ନାଗାଲାଣ୍ଡର ଫଳାଫଳ ଉପରେ ଉତ୍ତର ପୂର୍ବର ନଜର ରହିଛି  । ୧୯୬୩ରେ ଗଠିତ ନାଗାଲାଣ୍ଡ ୧୪ ଥର ପାଇଁ ମୁଖ୍ୟମନ୍ତ୍ରୀ ବାଛୁଚି ହେଲେ ଏଯାଏଁ ଏହି ରାଜ୍ୟରୁ କୌଣସି ମହିଳା ବିଧାୟକଙ୍କୁ ସୁଯୋଗ ଦେଇନାହାନ୍ତି ଭୋଟର  । କିନ୍ତୁ ଏଥର ପରମ୍ପରା ଭାଙ୍ଗି ଦେଇଛନ୍ତି ଜଣେ ମହିଳା ପ୍ରାର୍ଥୀ  ।

ପ୍ରଥମ ଥର NDPPର ହେକାନି ଜାଖାଲୁ ଦିମାପୁର ଆସନରୁ ଜିତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ ହୋଇପାରିଛନ୍ତି  । ରାମବିଳାସଙ୍କ ଲୋକ ଜନଶକ୍ତି ପାର୍ଟିର ଏଜେଟୋ ଝିମୋମିଙ୍କୁ ୧୫୩୬ ଖଣ୍ଡ ଭୋଟରେ ହରାଇଛନ୍ତି ଜାଖାଲୁ  । ୪୭ ବର୍ଷୀୟ ହେକାନୀଙ୍କୁ ୧୪ ହଜାର ୩୯୫ ଖଣ୍ଡ ଭୋଟ ମିଳିଛି  । ୭ ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ହେକାନି  ।

୬୦ ବିଧାନସଭା ଆସନ ବିଶିଷ୍ଟ ନାଗାଲାଣ୍ଡରେ ଏଥର ୧୮୪ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ  । ଯେଉଁଥିରେ କେବଳ ୪ ଜଣ ମହିଳା ପ୍ରାର୍ଥୀ ରହିଥିଲେ  । NDPP ର ସାଲହୁଟୁଆନୋ କ୍ରୁସ ପଶ୍ଚିମ ଅଙ୍ଗାମୀ ସିଟରୁ ଓ ବିଜେପିର କାହୁଲି ସେମା ଏଟୋଇଜୁ ସିଟରୁ ଆଗୁଆ ଅଛନ୍ତି  । ଏହିଭଳି ଭାବେ ଯଦି ମହିଳା ପ୍ରାର୍ଥୀ ଆଗକୁ ବଢିବେ ନନାଗାଲାଣ୍ଡରେ ପ୍ରଥମ ଥର ୩ ମହିଳା ବିଧାୟକ ବିଧାନସଭା ଯାଇପାରିବେ  । ସେପଟେ ଚତୁର୍ଥ ମହିଳା ପ୍ରାର୍ଥୀ ଭାବେ କଂଗ୍ରେସର ରୋଜି ଥମସନଙ୍କୁ ବର୍ତ୍ତମାନ ସୁଦ୍ଧା ୫୦ ଖଣ୍ଡ ଭୋଟ ମିଳି ପାରିନାହିଁ . ।

ନାଗାଲାଣ୍ଡରେ ମହିଳା ଭୋଟରଙ୍କ ସଂଖ୍ୟା (୪୯.୭୯%) ପୁରୁଷଙ୍କ ଭଳି ସମାନ ଅଟେ । ପୁରୁଷଙ୍କ ଭଳି ମହିଳା ମାନେ ମଧ୍ୟ ସମାନ ଭାବେ ମତଦାନରେ ସାମିଲ ହୁଅନ୍ତି  । କିନ୍ତୁ ରାଜନୀତିରେ ମହିଳାଙ୍କ କଥା ଆସିଲେ ସେମାନଙ୍କୁ ବିରୋଧ କରାଯାଏ  । ସେପଟେ ୬୦ ବିଧାନସଭା ଆସନ ବିଶିଷ୍ଟ ମେଘାଳୟ ସରକାରରେ ମହିଳାଙ୍କ ବେଶ ପ୍ରଭାବ ରହିଛି  । ଉତ୍ତର ପୂର୍ବର ମେଘାଳୟରେ ଅଧିକାଂଶ ଜନଜାତିରେ ମହିଳା ହିଁ ପରିବାରର ମୁଖିଆ ହୋଇଥାନ୍ତି  । ଝିଅମାନେ ହିଁ ଘରର ଉତ୍ତରାଧିକାରୀ ହୋଇଥାନ୍ତି  । ପୁଅମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନଥାଏ  । ଝିଅ ଜନ୍ମ ହେଲେ ଏଠାରେ ପରିବାର ଖୁସି ମନାଇଥାନ୍ତି