ମୁସଲିମ ନାବାଳକ-ନାବାଳିକାଙ୍କ ବିବାହ ଆଇନସମ୍ମନ ନୁହେଁ

କେରଳ: ମୁସଲିମ ପର୍ସନାଲ ଲ’ ଅନୁସାରେ ନାବାଳକ ବା ନାବାଳିକାଙ୍କ ବିବାହ ଆଇନସମ୍ମତ ନୁହେଁ । ଯୌନଗତ ଅପରାଧରୁ ଶିଶୁଙ୍କ ସୁରକ୍ଷା ବା ପକ୍ସୋ ଆଇନ ଅନୁସାରେ ଏହି ବିବାହ ବେଆଇନ ବୋଲି କହିଛନ୍ତି କେରଳ ହାଇକୋର୍ଟ । ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ପ୍ରକାର ବିବାହ ପକ୍ସୋ ଆଇନ ପରିସରଭୁକ୍ତ ବୋଲି କହିଛନ୍ତି କୋର୍ଟ ।

ଜଷ୍ଟିସ ବେଚୁ କୁରିଆନ ଥୋମାସଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି, ଶିଶୁମାନଙ୍କୁ ଯୌନଗତ ଅପରାଧରୁ ସୁରକ୍ଷିତ ରଖିବା ହେଉଛି ପକ୍ସୋ ଆଇନର ଉଦ୍ଦେଶ୍ୟ । ଶିଶୁଙ୍କ ବିରୋଧରେ କୌଣସି ପ୍ରକାର ଯୌନଗତ ହିଂସା ଅଗ୍ରହଣୀୟ । ଏହି ଧରଣର ହିଂସାରୁ ବିବାହ ଅଲଗା ନୁହେଁ । ପକ୍ସୋ ଆଇନ ଏକ ସ୍ବତନ୍ତ୍ର ଆଇନ । ବିଭିନ୍ନ ପ୍ରକାର ସାମାଜିକ ସ୍ଥିତିକୁ ଅନୁଧ୍ୟାନ କରି ଏହି ଆଇନ ଆସିଥିଲା । ଶିଶୁମାନଙ୍କୁ ଉଚିତ ନ୍ୟାୟ ଦେବା ତଥା ନୈତିକତା ଦୃଷ୍ଟିରୁ ଏହି ଆଇନ ଗୁରୁତ୍ବପୂର୍ଣ୍ଣ । ସମାଜର ଦୁର୍ବଳ ବର୍ଗର ଅଂଶ ବିଶେଷ ଥିବା ଶିଶୁ ସମାଜ ଓ ନିରୀହ ଶିଶୁଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସମାଜର କର୍ତ୍ତବ୍ୟ । ନାବାଳକ ଓ ନାବାଳିକାଙ୍କ ବିବାହ ଏକପ୍ରକାର ଯୌନଗତ ହିଂସା । ବାଲ୍ୟ ବିବାହ ଏକ ମାନବାଧିକାର ଉଲ୍ଲଂଘନ ବୋଲି କହିଛନ୍ତି ଖଣ୍ଡପୀଠ ।

ବାଲ୍ୟ ବିବାହ ସଭ୍ୟ ସମାଜ ଲାଗି ଏକ କଳଙ୍କ ଏବଂ ପକ୍ସୋ ଆଇନ ଜରିଆରେ ଶିଶୁମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉଛି । ବିବାହର ମନ୍ଦ ଉଦ୍ଦେଶ୍ୟ ରଖି ଶିଶୁମାନଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିବା ବି ଏକ ଅପରାଧ ବୋଲି କହିଛନ୍ତି ଖଣ୍ଡପୀଠ । କେରଳରେ ଜଣେ ନାବାଳିକାଙ୍କୁ ଜଣେ 31 ବର୍ଷ ବୟସ୍କ ମୁସଲିମ ଯୁବକ ଅପହରଣ କରି ଦୁଷ୍କର୍ମ କରିବା ଘଟଣାର ଶୁଣାଣି କରି ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବା ସହ ଏହି ମତ ରଖିଛନ୍ତି କୋର୍ଟ ।