ଖୋର୍ଦ୍ଧା ପରିସ୍ଥିତି ଅଣାୟତ ! ମୁକୁନ୍ଦ ପ୍ରସାଦରେ ପୋଡାଜଳା, ୭ ପ୍ଲାଟୁନ ଫୋର୍ସ ମୁତୟନ

ଖୋର୍ଦ୍ଧା : ଦିନ ଦ୍ବିପ୍ରହରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ଯାକାଣ୍ଡ। ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ହସ୍ପିଟାଲରେ ରହିଛି ଶେଖ ସାଜିଦଙ୍କ ମୃତଦେହ।  ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ରହିଥିଲା ତିକ୍ତତା। ଏହାକୁ ନେଇ ଆଜି ଗ୍ଯାରେଜ ଭିତରେ ପଶି ଦୁର୍ବୃତ୍ତ ମାନେ ଶେଖ୍ ସାଜିଦକୁ ହାଣିଛନ୍ତି । ଗତ କିଛି ଦିନ ତଳେ ମୁକୁନ୍ଦପ୍ରସାଦରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଙ୍ଘର୍ଷ ହୋଇଥିଲା ।  ଆଜିର ଏହି ହତ୍ୟାକାଣ୍ଡ ପଛରେ ପୂର୍ବର ଗୋଷ୍ଠୀ ସଂଙ୍ଘର୍ଷ କାରଣ ବୋଲି କୁହାଯାଉଛି। ଏହି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ପରିସ୍ଥିତି ଅଣାୟତ ହୋଇପଡିଛି। ମୃତକଙ୍କ ପକ୍ଷ ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଟାୟାର ଜାଳି ଏହି ଗୋଷ୍ଠୀ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇ ପୋଲିସ ପକ୍ଷରୁ ୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।  ଗତ କିଛିଦିନ ତଳେ ଛଣଗିରିରେ ମଧ୍ଯ ହୋଇଥିଲା ଗୋଷ୍ଠୀ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କୁହୁଡିରେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ସମାନ ବିବାଦ ଦେଖା ଦେଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ଉଦ୍ଯମ କରୁନଥିବା ଅଭିଯୋଗ ହେଉଛି। । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ଭୁବନେଶ୍ୱର ପଟୁ ମୁକୁନ୍ଦ ପ୍ରସାଦ ଦେଇ ଖୋର୍ଦ୍ଧା ସହରକୁ ରାସ୍ତା ବନ୍ଦ ରହିଛି।