ପାଣି ପାଇଁ ଗଲା ପ୍ରାଣ, ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ଼: ପାଣି ପାଇଁ ଗଲା ପ୍ରାଣ । ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ହତ୍ୟା । ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଗମ୍ଭାରିଡ଼ିହି ଗାଁରେ । ଜଣେ ମହିଳା ନଳକୂପକୁ ପାଣି ନେଇ ଯାଇଥିବା ସମୟରେ ଗାଁର ଜଣେ ଯୁବକ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା ପଡ଼ିନାହିଁ । ଗମ୍ଭାରୀଡ଼ିହି ଗାଁର ଜଣେ ମହିଳା ପାଣି ନେବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ । ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବାରିକ ଗୋଟିଏ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲେ ।

ପାଣି ଟୋପେ ପାଇଁ ମହିଳା ଓ ଦେବାଶିଷ ନାମକ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଏତିକିରେ ଦେବାଶିଷ ରାଗିଯାଇ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି । ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି ।