ଭାରତ ବିରୋଧୀ ମୁଇଜ୍ଜୁଙ୍କ ବିଜୟ, ମାଲଦ୍ବୀପ ନିର୍ବାଚନରେ ଦଳକୁ ବହୁମତ

ମାଲେ: ମାଲଦ୍ୱୀପରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନେତୃତ୍ୱରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ୬୦ରୁ ଅଧିକ ଆସନ ଜିତି ବହୁମତ ହାସଲ କରିଛି। ଏହି ନିର୍ବାଚନ ଦେଶର ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ମାଲଦ୍ବୀପରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଭୟ ଭାରତ ଏବଂ ଚୀନ୍ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥି୍ଲା ।
ନିର୍ବାଚନ ଆୟୋଗ ଦେଇଥିବା ସୂଚନା ଅନୁଯାୟୀ, ୨ ଲକ୍ଷ ୭ ହଜାର ୬୯୩ ଜଣ ଭୋଟ୍ ଦେଇଛନ୍ତି। ଏହି ଅନୁଯାୟୀ ଦେଶରେ ୭୨.୯୬ ପ୍ରତିଶତ ମତଦାନ ହୋଇଥିଲା। ଏଥିରେ ୧ ଲକ୍ଷ ୪ ହଜାର ୮୨୬ ପୁରୁଷ ଏବଂ ୧ ଲକ୍ଷ ୨ ହଜାର ୮୬୭ ମହିଳା ଅନ୍ତର୍ଭୁକ୍ତ । ମୋଟ୨ ଲକ୍ଷ ୮୪ ହଜାର ୬୬୩ ଜଣ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ।
ଦେଶର ସଂସଦୀୟ ନିର୍ବାଚନ ପାଇଁ ୬ଟି ଦଳର ୩୬୮ ଜଣ ପ୍ରାର୍ଥୀ ରହିଥିଲେ। ଏହି ୬ଟି ଦଳ ମଧ୍ୟରେ ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି), ମୁଖ୍ୟ ବିରୋଧୀ ମାଲଦ୍ୱୀପ ଡେମୋକ୍ରାଟ୍ ପାର୍ଟି (ଏମଡିପି) ଏବଂ ୧୩୦ ଜଣ ସ୍ବାଧୀନ ପ୍ରାର୍ଥୀ ମଇଦାନରେ ଥିଲେ । ପିଏନସିରୁ ୯୦ ଜଣ ପ୍ରାର୍ଥୀ, ଏମିଡିପିରୁ ୮୯ ଜଣ, ଡେମୋକ୍ରାଟ୍ସରୁ ୩୯, ଜାମହୋରୀ ପାର୍ଟି (ଜେପି)ରୁ ୧୦, ମାଲଦ୍ୱୀପ ବିକାଶ ଆଲାଇନ୍ସ (ଏମଡିଏ) ଏବଂ ଆଡାଲାଥ ପାର୍ଟି (ଏପି)ରୁ ଚାରିଜଣ ଏବଂ ମାଲଦ୍ୱୀପ ନ୍ୟାସନାଲ ପାର୍ଟି (ଏମଏନପି)ରୁ ଦୁଇଜଣ ପ୍ରାର୍ଥୀ ରହିଥିଲେ।
ମୁଇଜ୍ଜୁଙ୍କ ନେତୃତ୍ୱାଧୀନ ପିଏନସି ୯୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ୬୦ରୁ ଅଧିକ ସିଟ୍ ଜିତିଛି, ଯାହା ପ୍ରାୟ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଟ୍ରେଣ୍ଡ ଅନୁଯାୟୀ ମୁଇଜ୍ଜୁଙ୍କ ନେତୃତ୍ୱାଧୀନ ପିଏନସି ୬୭ଟି ସିଟ୍ ଜିତିଛି । ଏହା ପଛକୁ ଏମଡିପି ୧୨ଟି ସିଟ୍ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୧୦ଟି ସିଟ୍ ଜିତିଛନ୍ତି। ଅବଶିଷ୍ଟ ଆସନ ଅନ୍ୟ ଦଳକୁ ଯାଇଥିଲା।
ଚୀନ୍ର ଜଣେ ସମର୍ଥକ ନେତା ଭାବରେ ମୁଇଜ୍ଜୁଙ୍କ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ନିର୍ବାଚନର କିଛି ଦିନ ପୂର୍ବରୁ ବିରୋଧୀ ଦଳ ୨୦୧୮ ମସିହା ଦୁର୍ନୀତି ରିପୋର୍ଟ ଲିକ୍ ହେବା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ଯାଞ୍ଚ ଦାବି କରିଥିଲେ। ତେବେ ମୁଇଜୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବ୍ୟତୀତ ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସାଂସଦମାନେ ତାଙ୍କ ତିନି ଜଣ ପ୍ରାର୍ଥୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ରୋକ ଲଗାଇଥିଲେ ।