ଦିବ୍ୟାଙ୍ଗ ପ୍ରଶଂସକ ଲାବଣ୍ୟାଙ୍କ ପାଖରେ ପହଞ୍ଚିଲେ ଧୋନୀ, ପୋଛି ଦେଲେ ଲୁହ

ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ କ୍ରିକେଟକୁ ଅଲବିଦା କରି ସାରିଥିବା ମିଷ୍ଟର କୁଲ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କିନ୍ତୁ କମିନି । ତାଙ୍କର ଗୋଟିଏ ଝଲକ ପାଇବାକୁ ଓ ତାଙ୍କୁ ପାଖରେ ଦେଖିବା ପାଇଁ ପ୍ରଶଂସକ ପାଗଳ । ଯେବେ ଦିବ୍ୟାଙ୍ଗ ଝିଅ ଲାବଣ୍ୟା ପିଲାନିୟାଙ୍କୁ ଭେଟିବାକୁ ଧୋନୀ ତାଙ୍କ ପାଖରେ ପହଞ୍ଚି ଗଲେ, କୋହ ସମ୍ଭାଳି ନପାରି କାନ୍ଦି ପକାଇ ଥିଲେ ଲାବଣ୍ୟା । ଆଉ ମିଷ୍ଟର କୁଲ୍ ତାଙ୍କ ଆଖିରୁ ଲୁହ ପୋଛି ଦେଇ ନକାନ୍ଦିବାକୁ କହିଥିଲେ ।

ଲାବଣ୍ୟା ଧୋନୀଙ୍କ ଜଣେ ବଡ ପ୍ରଶଂସକ । ତାଙ୍କର ଗୋଟିଏ ଇଚ୍ଛା ଥିଲା କେମିତି ଧୋନୀଙ୍କ ସହ ସାକ୍ଷାତ କରିବେ । ଧୋନୀ ଏ ସମ୍ପର୍କରେ ଜାଣିବା ପରେ ଲାବଣ୍ୟାଙ୍କ ପାଖରେ ପହଞ୍ଚି ଯାଇଥିଲେ । ଧୋନୀଙ୍କ ସହ ଭେଟର ଫଟୋ ଲାବଣ୍ୟା ନିଜ ଇଣ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ତାଙ୍କ ସହ ସାକ୍ଷାତର ସେହି ମୁର୍ହୃତ୍ତ ଶବ୍ଦରେ ପରିପ୍ରକାଶ କରି ହେବନି । ସେ ଜଣେ ଦୟାଳୁ, ମୃଦୁଭାଷି ଓ ସ୍ନେହି ମଣିଷ । ସେ ଯେତେବେଳେ ମୋ ନାଁର ସ୍ପେଲିଂ ପଚାରିଲେ ଓ ହାତ ହଲାଇଲେ ମୋ ଆଖିରୁ ଲୁହ ଝରି ଯାଇଥିଲା । ସେ ମୋ ଲୁହ ପୋଛି ଦେବା ସହ ନକାନ୍ଦିବାକୁ କହିଥିଲେ । ଏହା ମୋ ଜୀବନର ସବୁଠାରୁ ଖୁସିର ସମୟ ଥିଲା ।’

ଧୋନୀଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ

ନିଜ ପ୍ରିୟ ମଣିଷକୁ ଲାବଣ୍ୟା ଦେଇଥିଲେ ଏକ ସ୍ପେଶାଲ ଗିଫ୍ଟ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ତାଙ୍କୁ ଗିଫ୍ଟ ଦେବା ପରେ ସେ ମୋତେ ଧନ୍ୟବାଦ ଜଣାଇଥିଲେ । ଏହି ଗିଫ୍ଟକୁ ସେ ନିଜ ପାଖରେ ସବୁଦିନ ରଖିବେ ବୋଲି କହିଥିଲେ । ସେ ମୋତେ ଯାହା କହିଲେ, ସାରା ଜୀବନ ମନେ ରହିବ । ସେ ନିଜର ବହୁମୂଲ୍ୟ ସମୟ ମୋତେ ଦେଇଛନ୍ତି, ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବିନ । ୨୦୨୨ ମେ ୩୧ ମୋ ପାଇଁ ସବୁବେଳେ ଖାସ ରହିବ ।’