ଆଇପିଏଲରେ ଧୋନି ଧମାକା, ୭ ହଜାର ରନ କ୍ଲବରେ ସାମିଲ ହେଲେ କ୍ୟାପଟେନ୍ କୁଲ

1 min read

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଫର୍ମ ଜାରି ରହିଛି । ଚଳିତ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ଗତକାଲି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଧୋନିଙ୍କ ଧମାଲ ଦେଖିବାକୁ ମିଳିଥିଲା । ମାତ୍ର ୬ ବଲରେ ୧୬ ରନର ଧୁଆଁଧାର ଇନିଂସ ଖେଳିଥିଲେ ଧୋନି । ଏହି ଇନିଂସ ଫଳରେ ଧୋନି ଟି-୨୦ ଫର୍ମାଟରେ ୭ ହଜାର ରନ ପୂରଣ କରିବାର ମୁଇଲଖୁଣ୍ଟ ଛୁଇଁଛନ୍ତି ।

୭ ହଜାର ରନ ପୂରଣ କରିବାରେ ଧୋନି ଷଷ୍ଠ ଭାରତୀୟ ହୋଇଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୭ ହଜାର ରନ କରିବା ପରେ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଟି-୨୦ କ୍ୟାରିୟରରେ ଧୋନି ୩୪୯ଟି ମ୍ୟାଚ ଖେଳି ୭୦୦୧ ରନ ନିଜ ନାମରେ କରିଛନ୍ତି । ଧୋନିଙ୍କ ପୂର୍ବରୁ ବିରାଟ କୋହଲି ୧୦ ହଜାର ୩୨୬ ରନ କରିଥିବାବେଳେ ରୋହିତ ଶର୍ମା  ୯ ହଜାର ୯୩୬ ରନ କରିଛନ୍ତି । ଏମାନଙ୍କ ବ୍ୟତୀତ ଶିଖର ଧାଓ୍ୱନ (୮୮୧୮), ସୁରେଶ ରାଇନା (୮୬୫୪ ରନ୍‌) ଏବଂ ରବିନ ଉଥପ୍ପା (୭୧୨୦ ରନ୍‌)  କରିଛନ୍ତି । ମୋଟ ଉପରେ ଧୋନି ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ୩୪ ତମ କ୍ରିକେଟର୍‌ ହୋଇଛନ୍ତି ।

ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ରିକେଟ କ୍ୟାରିୟରରରେ ୨୦୦୬ରୁ ୨୦୧୯ ମଧ୍ୟରେ ଭାରତୀୟ ଦଳ ପାଇଁ ୧ ହଜାର ୬୧୭ ରନ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୪ ହଜାର ୬୮୭ ରନ, ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ପାଇଁ ୫୭୪ ରନ ଓ ଝାଡଖଣ୍ଡ ପାଇଁ ୧୨୩ ରନ ସଂଗ୍ରହ କରିଛନ୍ତି ।