ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି: ମାନସ ମଙ୍ଗରାଜ

ଭୁବନେଶ୍ବର: ବିଜେଡି ସରକାରର ମନ୍ତ୍ରିମଣ୍ଡଳର ନବକଳେବର ହେବାକୁ ଯାଉଛି । ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ସମସ୍ତ ମନ୍ତ୍ରୀ ଇସ୍ତାଫା ଦେଇଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୨୦ ଜଣ ବିଜେଡି ବିଧାୟକ ଏବଂ ବିଧାୟିକାଙ୍କ ପାଖକୁ ନବୀନ ନିବାସରୁ ଫୋନ୍ କଲ୍ ଯାଇଥିଲା । ପୂର୍ବାହ୍ନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ନୂଆ ମନ୍ତ୍ରିମଣ୍ଡଳରକୁ ନେଇ ନବ ନିର୍ବାଚିତ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଖୁସି ବ୍ୟକ୍ତ କରିଛନ୍ତି ।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ସବୁ ବେଳେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏଥର ମଧ୍ୟ ତା’ର ପୁନରାବୃତ୍ତି ଘଟିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇଥାନ୍ତି । ସେମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ମଧ୍ୟ କରିଛନ୍ତି ।’

ମୁଖ୍ୟମନ୍ତ୍ରୀ ବିଜେପୁରକୁ ନିଜର ବୋଲି କହୁଥିବା ବେଳେ ଆଜି ବିଧାୟିକା ରିତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାରୁ ଖୁସି ପ୍ରକାଶ କରିଥିଲେ ସାଂସଦ ମାନସ ମଙ୍ଗରାଜ ।