ଫେଲ୍ ମାରିଛି ସ୍ୱପ୍ନିଳ ପ୍ରତିଶ୍ରୁତି: ଦେଶରେ କୁପୋଷଣର ଶିକାର ୩୩ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ

ନୂଆଦିଲ୍ଲୀ: ଅନ୍ଧାରରେ କାଲିର ଭବିଷ୍ୟତ । ଫେଲ ମାରିଛି ଶିଶୁ ସୁରକ୍ଷା ଯୋଜନା । ଶସ୍ୟ ଶ୍ୟାମଳା ଭାରତରେ ବଢ଼ିଛି ଭୋକର ଦାଉ । ଖୋଦ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ କୁପୋଷଣର ଶିକାର ହୋଇଛନ୍ତି ୩୩ ଲକ୍ଷରୁ ଅଧିକ ଶିଶୁ । ମହାରାଷ୍ଟ୍ର ଶୀର୍ଷରେ ଥିବା ବେଳେ ଦ୍ୱିତୀୟ ବିହାର, ତୃତୀୟରେ ଗୁଜରାଟ ରହିଛି । ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ଗୁରୁତର ଅବସ୍ଥାରେ କାଳ କାଟୁଛନ୍ତି ୧୭ ଲକ୍ଷ ୭୬ ହଜାର ଶିଶୁ, ଯାହାକି ଗତବର୍ଷ ତୁଳନାରେ ୯୧ ପ୍ରତିଶତ ଅଧିକ । ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରଭାବିତ ହେବା ଯୋଗୁ ଏହାର ବିଶେଷ ଶିକାର ହୋଇଛନ୍ତି ଶିଶୁ ।

ଫେଲ୍ ମାରିଛି ସ୍ୱପ୍ନିଳ ପ୍ରତିଶ୍ରୁତି । ବିପଥଗାମୀ ବିକାଶ ସ୍ଲୋଗାନ । କୋଭିଡ ବିପଦ କାଳରେ ବଢିଛି ପିଲାଙ୍କ ଦୁର୍ଦ୍ଦଶା । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ରିପୋର୍ଟକୁ ନେଇ ଚିନ୍ତା । ଦେଶରେ କୁପୋଷଣର ଶିକାର ହୋଇଛନ୍ତି ୩୩ ଲକ୍ଷ ୨୩ ହଜାର ୩୨୨ ଶିଶୁ । ଶୀର୍ଷରେ ମହାରାଷ୍ଟ୍ର ଥିବାବେଳେ ଦ୍ୱିତୀୟ ସ୍ଥାନରେ ବିହାର ଓ ତୃତୀୟ ସ୍ଥାନରେ ରହିଛି ଗୁଜରାଟ । ଏହି ପିଲାଙ୍କ ମଧ୍ୟରୁ ୧୭ ଲକ୍ଷ ୭୬ ହଜାର ୯୦୨ ପିଲା ଗୁରୁତର କୁପୋଷଣ ବା ଏସଏଏମର ହୋଇଥିବାବେଳେ ୧୫ ଲକ୍ଷ ୪୬ ହଜାର ୪୨୦ ଶିଶୁ ମଧ୍ୟମ ଧରଣ ବା ଏମଏମର କୁପୋଷଣର ଶିକାର ହୋଇଛନ୍ତି । ନଭେମ୍ବର ୨୦୨୦ରୁ ୨୦୨୧ ଅକ୍ଟୋବର ୧୪ ମଧ୍ୟରେ କୁପୋଷଣର ଶିକାର ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬ ଲକ୍ଷ ୧୬ ହଜାର ୭୭୨ ଏବଂ ବିହାରର ୪ ଲକ୍ଷ ୭୫ ହଜାର ୮୨୪ ଶିଶୁ କୁପୋଷଣର ଶିକାର ହୋଇଛନ୍ତି । ଗୁଜରାଟର ୩ ଲକ୍ଷ ୨୦ ହଜାର ୪୬୫ ଶିଶୁ କୁପୋଷଣର ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଥିବା ରିପୋର୍ଟରେ କୁହାଯାଇଛି ।

କୁପୋଷଣ କାରଣରୁ ଦେଶରେ ଶିଶୁରୋଗ ଓ ଶିଶୁ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସ କୋଭିଡ ଯୋଗୁ ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । କୁପୋଷଣ ଯୋଗୁ ଅନେକ ଶିଶୁ ସଂକ୍ରମିତ ହେବା ପରିଲକ୍ଷିତ ହେଉଛି । ଶିଶୁ ସମାଜ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ହୋଇଛି ଦାବି । ଆସନ୍ତାକାଲିର ଭବିଷ୍ୟତ ଶିଶୁ ସମାଜ । ମାତ୍ର ସବୁ କ୍ଷେତ୍ରରେ ସେମାନେ ଅବହେଳିତ । ଯୋଜନା ପରେ ଯୋଜନା ହେଲେ ବି ଶିଶୁମାନେ ହେଉଛନ୍ତି କୁପୋଷଣର ଶିକାର ।

Leave a Reply