ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଣି, ଆଜିଠୁ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଯୋଜନାରେ ଏହି ସହର ହେବେ ଉପକୃତ

ଭୁବନେଶ୍ବର: ନଳ ଖୋଲିଲେ ବାହାରୁଛି ବିଶୁଦ୍ଧ ପାନୀୟ ଜଳ । ଦୁଆରେ ଦୁଆରେ ଶୁଦ୍ଧ ପାନୀୟ । ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଆଜିଠୁ ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ଆଉ କିଛି ସହର । ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ।

ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୧ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସେବାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା କରାଯିବ । ବ୍ରହ୍ମପୁରର ୩୭, ଭୁବନେଶ୍ବରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ଓ୍ବାର୍ଡ ଏହି ଯୋଜନାରେ ଯୋଡ଼ିହେବ । ଏହାଦ୍ବାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ହୋଇଥିବାବେଳେ ଗୋପାଳପୁର ଦ୍ବିତୀୟ । ଯୋଜନା ଜରିଆରେ ଘରକୁ ଘର ଅନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ୨୦୨୦ ସେପ୍ଟେମ୍ବରରେ ଭୁବନେଶ୍ବର ଓ ପୁରୀର ୧୨ଟି ପାଇଲଟ୍ ଜୋନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୧ରେ ଦେଶର ପ୍ରଥମ ସହର ଭାବେ ପୁରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଥିଲା ।