ସୁଭଦ୍ରା ଯୋଜନା ଧୂଆଁବାଣ, ବିଜେପି ଲୋକଙ୍କୁ ଭୂଆଁ ବୁଲାଉଛି: ବିଜେଡି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି । କହିଲା ସୁଭଦ୍ରା ଯୋଜନା ପାଣିରେ ଗାର ଓ ଧୂଆଁବାଣ । ଯୋଜନକୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଛି ବିଜେପି । ଭୋଟ ସମୟରେ ମହିଳାଙ୍କୁ ଆଶା ଦେଖାଇଥିଲେ ବର୍ଷକୁ ୫୦ ହଜାର ଟଙ୍କା ଦେବେ । ଏମିତି କି ସମସ୍ତ ମହିଳାଙ୍କୁ ଦେବାକୁ ଇସ୍ତାହାରରେ କହିଥିଲେ । ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା । ଏହାସହ ୧୫୦୦ ଟଙ୍କା ମାସିକ ଆଧାରରେ ହେଲେ ଆଶା, ଅଙ୍ଗନବାଡି ମହିଳା ପ୍ରମୁଖ ସୁଭଦ୍ରା ଯୋଜନା ପାଇବେନି। ଋଣ କରି ଯେଉଁମାନେ ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ ।

ବଡ଼ କଥା ହେଲା ଏବେ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ୨ ଥର ଦେବେ । ଏଥିରେ ମହିଳାମାନେ କି ବ୍ୟବସାୟ କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ । ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନା ପାଇବେ ବୋଲି ଆଶା ରଖିଥିଲେ । କିନ୍ତୁ ଏହା ଏବେ ପାଣିର ଗାର ହୋଇଛି ।

ଅହଂକାରୀ ସରକାର

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥ ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ସହ ନିଜକୁ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ତୁଳନା କରିଥିଲେ । ଜଗତର ନାଥ ଜଗନ୍ନାଥଙ୍କ ସହ ନିଜକୁ ମୁଖ୍ୟମନ୍ତ୍ରୀ ତୁଳନା କରିବା ଏହା ତାଙ୍କ ଅହଂକାରକୁ ଦର୍ଶାଉଛି ବୋଲି ବିଜେଡି କହିଛି । ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି । ଏହା ସରକାରଙ୍କ ବିଫଳତା । ଲୋକଙ୍କୁ ଠକିଛନ୍ତି ସରକାର, ଏହା ସାଧାରଣ ଲୋକଙ୍କ ପାଖକୁ ଗଲାଣି। ଲୋକେ ଏମାନଙ୍କୁ ଉଚିତ ଜବାବ ଦେବେ ।

ବିଜେପି ଏକ ବେପାରୀ ସଂସ୍ଥା

ବିଜୁଳି ବିଲକୁ ନେଇ ବିଜେପିକୁ ବେପାରୀ ସଂସ୍ଥା କହି କଟାକ୍ଷ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ନିର୍ବାଚନୀ ଇସ୍ତାହାରରେ ୩୦୦ ୟୁନିଟ ମାଗଣା ବିଜୁଳି କଥା କହିଥିଲେ । ହେଲେ ଯାଏଁ ଗୋଟିଏ ୟୁନିଟ ମଧ୍ୟ ସାଧାରଣ ଚାଷୀ ପାଖକୁ ଗଲାନି । ଏହା ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି । କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି । ସେହିପରି ଭତ୍ତା ୩ ହଜାର ୫ ଶହ ଦେବେ କହିଥିଲେ । ଏବେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯାହାକି ସ୍ପଷ୍ଟ କରୁଛି ଲୋକଙ୍କୁ ଠକିବା ଛଡ଼ା ଏମାନଙ୍କୁ କିଛି ଜଣାନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଛାତ୍ରବୃତ୍ତି ବନ୍ଦ କରିଦେଲେ

ଛାତ୍ରବୃତ୍ତିକୁ ନେଇ ମଧ୍ୟ ଦଳ ବିଜେପି ସରକାରକୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ପୂର୍ବ ସରକାର ଛାତ୍ରଛାତ୍ରୀଙ୍କ ବୃତ୍ତିର ବ୍ୟବସ୍ଥା କରିଥିଲେ । ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବ୍ୟବସ୍ଥା  କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା ଏବେ ବନ୍ଦ ହୋଇଯାଇଛି ।