ଅପାରଗ ସରକାର: ଇ-କେଓ୍ବାଇସି ଆଳରେ ଗରିବଙ୍କୁ ଠେଲି ଦେଲେ ମରଣ ମୁହଁକୁ !

1 min read

କନ୍ଧମାଳ: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବାଟବାରଣା ରୋକିବାକୁ ରାଜ୍ୟର ବିଜେପି ସରକାର ଇ-କେଓ୍ବାଇସି କରାଉଛନ୍ତି । ହେଲେ ସରକାରୀ କଳର ଅଦୂରଦର୍ଶୀ ପଦକ୍ଷେପ ଯୋଗୁଁ ଆଜି ଗରିବର ଜୀବନ ଯାଉଛି । ଦୁଇ ଦଶନ୍ଧି ପରେ କନ୍ଧମାଳକୁ ପୁଣି ଥରେ ଫେରିଛି ଆମ୍ବ ଟାକୁଆ ଜାଉ ଆଉ ନେଇଛି ଦୁଇ ଦୁଇଟି ମୂଲ୍ୟବାନ ଜୀବନ । ଇ-କେଓ୍ବାଇସି ଆଳରେ ୩ ମାସ ହେବ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇ ନଥିବା ଲୋକେ ପେଟର ଭୋକକୁ ମାରିବାକୁ ପୁଣି ଥରେ ଆମ୍ବ ଟାକୁଆ ଖାଇବା ଆରମ୍ଭ କରି ଦେଇଛନ୍ତି । ଡବଲ ଇଞ୍ଜିନ ସରକାରର ଇ-କେଓ୍ବାଇସି ପାଇଁ କନ୍ଧମାଳରେ କେତେ ଭୟଙ୍କର ସାଜିଛି ଭୋକ ତାହା କ୍ୟାମେରା ଆଗରେ ବଖାଣିଛନ୍ତି ଆମ୍ବ ଟାକୁଆ ଜାଉରୁ ବର୍ତ୍ତି ଯାଇଥିବା ଗୁରୁତର ମହିଳାମାନେ ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚିକିତ୍ସାଧୀନ ଗୁରୁତର ମହିଳା କହିଛନ୍ତି ଆମ୍ବ ଟାକୁଆର ଚିନ୍ତାଜନକ ସତ । ଗତ ତିନି ମାସ ହେଲା ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁନି ଚାଉଳ । କାହିଁକି ପାଉ ନଥିଲେ ବି ସେମାନେ ଜାଣନ୍ତି ନାହିଁ । କାରଣ ଖାଲି ତାଙ୍କୁ ନୁହେଁ, ପୂରା ଗଦାପୁର ପଞ୍ଚାୟତରେ ଚାଉଳ ମିଳୁ ନଥିଲା । ଚାଉଳ ପାଇଁ ସେମାନଙ୍କୁ ୯ କିମି ଦୂର ବ୍ରାହ୍ମଣୀଗାଁ ପଞ୍ଚାୟତକୁ ଯିବାକୁ ପଡୁଥିଲା ।

ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ତିନି ମାସ ହେଲା ସରକାର ଆଉ ମାଗଣା ଚାଉଳ ଦେଉନାହାଁନ୍ତି । ଯାହାଫଳରେ ସେମାନେ ବାଧ୍ୟ ହୋଇ ଆମ୍ବ କୋଇଲି ଜାଉ ଖାଉଥିଲେ । ବହୁ ବର୍ଷ ପୂର୍ବରୁ ଆମ୍ବ କୋଇଲି ଜାଉ ସେମାନଙ୍କର ପାରମ୍ପାରିକ ଖାଦ୍ୟ ଥିଲା । କିନ୍ତୁ ମାଗଣା ଚାଉଳ ଯୋଜନା ଆରମ୍ଭ ହେବା ପରେ ଆମ୍ବ କୋଇଲି ଜାଉ ଖାଇବା ଛାଡି ଦେଇଥିଲେ । ଏବେ ତିନି ମାସ ହେଲା ଚାଉଳ ବନ୍ଦ ହୋଇଯିବାରୁ ସେମାନେ କୋଇଲି ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ ।

ଗତକାଲି ନନ୍ଦିଘୋଷ ଟିଭି ପ୍ରଥମେ ଏହି ତଥ୍ୟ ଲୋକଲୋଚନକୁ ଆଣିଥିଲା । ଆଜି ହସ୍ପିଟାଲରେ ଚିକିତ୍ସାଧୀନ ମହିଳାମାନେ ମଧ୍ୟ ତିନି ମାସ ହେଲା ଚାଉଳ ପାଇ ନଥିବା କହିଛନ୍ତି । ଇ-କେୱାଇସି ଆଳରେ ଚାଉଳ ବନ୍ଦ ହେବା ଡବଲ ଇଞ୍ଜିନ ସରକାରର ଅପାରଗତାକୁ ପଦାରେ ପକାଇଛି । ଜାଲ ହିତାଧିକାରୀଙ୍କୁ ଚିହ୍ନଟ କରିବା ନାଁରେ ଗରିବ ଗୁରୁବାଙ୍କୁ ମୃତ୍ୟୁ ମୁଖକୁ ରାଜ୍ୟ ସରକାର ଠେଲି ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଚିକିତ୍ସିତ ମହିଳାମାନେ ଏବେ ସୁସ୍ଥ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ସିଟୁର ସ୍ଥାନୀୟ ନେତାମାନେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ।