ବାରବାଟୀ ବ୍ୟାଟେଲ ପାଇଁ ପ୍ରସ୍ତୁତି ଜୋରଦାର, ଷ୍ଟାଡିୟମରେ ମକ୍ ଡ୍ରିଲ୍

1 min read

କଟକ: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଓସିଏ ସମେତ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସର ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆଜି ଏକ ମକ ଡ୍ରିଲ କରାଯାଇଛି । ମ୍ୟାଚ ସମୟରେ ହେବାକୁ ଥିବା ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କିଭଳି କରାଯିବ, ଏହା ହିଁ ଏହି ମକ ଡ୍ରିଲର ମୁଖ୍ୟ ଉଦେଶ୍ୟ ।

ଏହି ମକ ଡ୍ରିଲରେ ପୋଲିସ,  ଅଗ୍ନିଶମ ବିଭାଗ, ବେସରକାରୀ ସୁରକ୍ଷା କର୍ମୀ, ଓଡ୍ରାଫ, ମେଡ଼ିକାଲ ଟିମ ଏବଂ ଓସିଏ କର୍ମଚାରୀ ମାନେ ଯୋଗ ଦେଇଥିଲେ । ପୋଲିସ କମିଶନର ବାରବାଟୀ ଷ୍ଟାଡିୟମରେ ପହଞ୍ଚି ମକଡ୍ରିଲର ସମୀକ୍ଷା କରିଥିଲେ । ସେହିପରି ଆଜି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଆରଡିସି, ଜିଲ୍ଲାପାଳ ଓ ଡିସିପି । ଏଥର ଓସିଏର ପ୍ରବେଶପଥ, ପ୍ଲେୟାର ଡେସିଂ ରୁମ ସମେତ କ୍ଳକ ଟାଓ୍ବାରର କିଛି ଅଂଶକୁ ଉଡେନ ଲୁକ ଦିଆଯାଇଛି । ୬, ୭ ନମ୍ବର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଏଥର ଖୋଲା ଯାଉଥିବା ବେଳେ ଆଇଆଇଟି ଖଡଗପୁର ଏକ୍ସପର୍ଟଙ୍କ ଦ୍ବାରା ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି ।

ପ୍ରାୟ ୪୪ ହଜାରରୁ ଅଧିକ ଦର୍ଶକ ମ୍ୟାଚ ଦେଖିବେ । ଏହାକୁ ଦୃଷ୍ଟିରେ ରଖି, ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ତଳ ଓ ଉପର ବାଲିଯାତ୍ରା ପଡିଆକୁ ପ୍ରସ୍ତୁତ କରାଯାଉଛି । ଗତକାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୯ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି ହେବ ।