ମୋ ବସରେ ମାତିଛନ୍ତି ଛତିଶଗଡ଼ ମହିଳା ଲୁଟେରା

ନନ୍ଦିଘୋଷ ବ୍ୟୁରୋ: ମୋ ବସରେ ଯାଉଥିଲେ ସାବଧାନ । ମାତିଛନ୍ତି ଛତିଶଗଡ଼ ମହିଳା ଲୁଟେରା । ଏକାଠି ହୋଇ ଓଡ଼ିଶା ଆସୁଛନ୍ତି, ଜନଗହଳି ସ୍ଥାନ ଦେଖି ଯାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ୍ । ମୋ ବସରୁ ଲୁଟ ନେଇ ଗତକାଲି ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ୍ । ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡ ସ୍ଥିତ ମୋ ବସ ଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ୍ । ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏମାନେ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜଣାପଡ଼ିଛି । ବିଗତ କିଛିଦିନ ଧରି ମୋ ବସରେ ଲୁଟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜନଗହଳିର ସୁବିଧା ନେଇ ଲୁଟପାଟ କରୁଥିଲେ ଲୁଟେରା । ପାର୍ବଣ ସମୟରେ ପ୍ରତ୍ଯେକ ଦିନ ଏଭଳି ଅଭିଯୋଗ ପାଇବା ପରେ ଆନ୍ତଃରାଜ୍ଯ ଲୁଟେରା ଗ୍ଯାଙ୍ଗକୁ କାବୁ କରିଥିଲା କମିଶନରେଟ ପୋଲିସ୍ । ଏବେ ପୁଣି ମହିଳାଗ୍ଯାଙ୍ଗ ରାଜଧାନୀରେ ରହିବା ସାଙ୍ଗକୁ ମୋ ବସରୁ ଲୁଟିବା ଘଟଣା ପୋଲିସ୍ ପାଇଁ ଚ୍ଯାଲେଞ୍ଜ ସାବ୍ଯସ୍ତ ହୋଇଛି । ସେପେଟେ ଜାତାୟାତ କରିବା ସମୟରେ ଅଧିକ ସଚେତନ ହେବାକୁ କହିଛନ୍ତି ଏସିପି ।