ରାଜନଗରରେ ଉଦବେଗଜନକ ସ୍ଥିତିରେ ଝାଡ଼ାବାନ୍ତି, ନାବାଳକ ମୃତ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରବ୍ଲକରେ ଉଦବେଗଜନକ ସ୍ଥିତିରେ ଝାଡାବାନ୍ତି । ବ୍ଲକର ଭିତରଗଡ ପଞ୍ଚାୟତ ଚାରିପୋଖରୀଆ ଗାଁରେ ଝାଡାବାନ୍ତିରେ ୧୫୦ରୁ ଅଧିକ ଲୋକ ଆକ୍ରାନ୍ତ । ଗତକାଲି ଜଣେ ୯ ବର୍ଷର ନାବାଳକ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ରାଜନଗର ଅଞ୍ଚଳରେ ଝାଡବାନ୍ତି ବ୍ୟାପିବାରେ ଲାଗିଛି । ଚଳିତମାସ ୨ ତାରିଖରେ ମୟୂରଭଞ୍ଜ ଅଞ୍ଚଳରୁ ଆସି କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ଓଭରହେଡ଼ ଟାଙ୍କିର ପାଣି ଦୂଷିତ ଥିବା ସ୍ପଷ୍ଟ ହୋଇଥିଲା । ପ୍ରାୟ ଦେଢଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲ ସମେତ କେନ୍ଦ୍ରାପଡ଼ାର ବିଭିନ୍ନ ଡାକ୍ତରଖନାରେ ଚିକିତ୍ସିତ ହେଉଛନ୍ତି । ରାଜନଗର ମେଡିକାଲର ଦୁଇଟି ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଅନ୍ୟପଟେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଗାଁରେ ଘରକୁ ଘର ବୁଲି ଓଆରେସ ଦେବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।

କାଶୀପୁରରେ ଝାଡ଼ାବାନ୍ତିରେ ଗଲା ଜଣଙ୍କ ଜୀବନ !

ସେହିକରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରେ ଝାଡାବାନ୍ତି ବ୍ୟାପୀ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଶଙ୍କରଡା ପଞ୍ଚାୟତ ରାଉଳି ଗାଁର ଓ୍ବେଣ୍ଡି ମାଝୀ ହୋଇଥିବା ବେଳେ ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଓ୍ବେଣ୍ଡିଙ୍କ ମୃତ୍ୟୁ ଘଟିଛି । ସେହିପରି ୭ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

କାଶୀପୁର ଗାଁକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପାନୀୟ ଜଳ ନମୁନା ସଂଗ୍ରହ କରିଥିଲେ । ପରୀକ୍ଷା ପରେ ପାଣି ସମ୍ପୂର୍ଣ୍ଣ ଠିକ ଥିବା ଓ ଡାଇରିଆରେ ବୃଦ୍ଧାଙ୍କ ମୃତ୍ୟୁ ହୋଇ ନଥିବା ସ୍ପଷ୍ଟ କରି କାଶୀପୁର ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସଧିକାରୀ ନେତ୍ରାନନ୍ଦ ନାୟକ ।