ପୁଣି ଡିଜିଟାଲ ଷ୍ଟ୍ରାଇକ୍, ୬ ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ ସହିତ ମୋଟ ୧୬ ବ୍ଲକ

ନୂଆଦିଲ୍ଲୀ: ଭାରତ ବିରୋଧି ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୬ ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ ସହିତ ମୋଟ ୧୬ ଟି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ବିଭାଗ ବ୍ଲକ୍ କରିଛି । ଏହି ୧୬ ଚ୍ୟାନେଲର ଭାରତରେ ୬୮ କୋଟି ଭ୍ୟୁୟର ଥିଲେ । ଏହି ଚ୍ୟାନେଲ ସବୁ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିଲେ । ଦେଶର ସୁରକ୍ଷା ପ୍ରତି ମଧ୍ୟ ଏହି ୧୬ ୟୁଟ୍ୟୁବ୍ ଚ୍ୟାନେଲ ବିପଦ ଥିଲେ ବୋଲି ସୂଚନା ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ତ ଚ୍ୟାନେଲ ଆଇଟି ଆଇନ୍ ୨୦୨୧ ଅନୁସାରେ ସରକାରଙ୍କୁ କୌଣସି ସୂଚନା ଦେଇନଥିଲେ । ବୟାନରେ କୁହାଯାଇଛି ଯେ, ଭାରତରୁ ଅପଲୋଡ୍ ହେଉଥିବା କିଛି ଚ୍ୟାନେଲରେ ଗୋଟିଏ ସମ୍ପ୍ରଦାୟକୁ ଆତଙ୍କବାଦୀ ବୋଲି କୁହାଯାଉଥିଲା । ଯାହା ଦେଶର ସାମ୍ପ୍ରଦାୟୀକ ସଦଭାବ ଦୃଷ୍ଟିରୁ ବିପଦଜନକ ଥିଲା । ଏଭଳି ଚ୍ୟାନେଲଙ୍କ ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ସାମାଜିକ ସଦଭାବ ବାଧିତ ହେବାର ଥିଲା । ତେଣୁ ଏହି ସବୁ ଚ୍ୟାନେଲକୁ ବ୍ଲକ୍ କରାଯାଇଛି ।

ଲକ୍ ଡାଉନ୍ ନେଇ ଗୁଜବ ପ୍ରଚାରିତ କରୁଥିଲେ

କେବଳ ଏତିକି ନୁହେଁ ଏହି ସବୁ ଚ୍ୟାନେଲ ବିନା କୌଣସି ପ୍ରମାଣରେ ଲକଡାଉନକୁ ନେଇ ମିଥ୍ୟା ଖବର ମଧ୍ୟ ପ୍ରସାରିତ କରୁଥିଲେ । କରୋନାର ଚତୁର୍ଥ ଲହରୀ କାରଣରୁ କେନ୍ଦ୍ର ସରକାର ଦେଶବ୍ୟାପି ପୁଣି ଲକଡାଉନ୍ ଲାଗୁ କରିବେ ବୋଲି କିଛି ଚ୍ୟାନେଲ ଖବର ଅପଲୋଡ୍ କରିଥିବା ଉଦାହରଣ ମଧ୍ୟ ବିଭାଗ ଦେଇଛି । ଏହି ଖବର କାରଣରୁ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ।

ପାକିସ୍ତାନରୁ ଅପଲୋଡ୍ ହେଉଥିଲା ଫେକ୍ ନ୍ୟୁଜ୍

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାରତ ବିରୋଧରେ ସୁନିୟୋଜିତ ଭାବେ ଭୁଲ ଖବର ପାକିସ୍ତାନରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ଅପଲୋଡ୍ କରୁଥିଲେ । ଭାରତୀୟ ସେନା, କାଶ୍ମୀର, ଭାରତୀୟ ବୈଦେଶିକ ବିଭାଗ ଓ ୟୁକ୍ରେନକୁ ନେଇ ଭାରତର ସ୍ଥିତି ବାବଦରେ ପାକ୍ ୟୁଟ୍ୟୁବ୍ ଚ୍ୟାନେଲ ମିଥ୍ୟା ଖବର ଅପଲୋଡ୍ କରୁଥିଲେ । ବ୍ଲକ୍ ହୋଇଥିବା ୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଫେକ୍ କଣ୍ଟେଣ୍ଟ୍ ଅପଲୋଡ୍ କରୁଥିଲେ ବୋଲି ବିଭାଗ କହିଛି ।