ଆକ୍ସନ ମୋଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ୮ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

1 min read

ପିପିଲି: ଆକ୍ସନ ମୋଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ସ୍କୁଲ ଯାଉଛନ୍ତି, ତ କେଉଁଠି କ୍ଲାସ ଟାଇମରେ ପିଲା ସ୍କୁଲହତାରେ ବୁଲୁଛନ୍ତି । ଯାହାକୁ ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିବା ସହ ଆକ୍ସନ ମୋଡ୍‌କୁ ଆସିଛନ୍ତି ।

ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ା ଗସ୍ତ କରିବା ବେଳେ ୧୦ଟା ୨୦ରେ ପିପିଲି ଟୋଲଗେଟ ନିକଟରେ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବା ଦେଖି ଅଟକିଥିଲେ । ସ୍କୁଲ କାହିଁକି ଡେରିରେ ଯାଉଛ ବୋଲି ପଚାରିଥିଲେ ମନ୍ତ୍ରୀ l ଦୁଇ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି -ନିମାପଡ଼ା ମୁଖ୍ୟରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦିନ ସାଢ଼େ ୧୦ଟାରେ ମଧ୍ୟ ପିଲା ହତାରେ ଏଣେ ତେଣେ ବୁଲୁଥିବା ଦେଖିଥିଲେ । ଶିକ୍ଷକମାନେ ଅଫିସରେ ବସି କଥା ହେଉଥିବା ଓ ପ୍ରଧାନଶିକ୍ଷକ ଗାଡ଼ି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ l ସ୍କୁଲ କାଗଜପତ୍ର ଯାଞ୍ଚ ବେଳେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ l ଏହା ପରେ ୮ ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।