ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ, କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର
1 min readଦେବଗଡ଼ : ଦେବଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ଲଘୁ ଖଣିଜ ସମ୍ପଦ ଲୁଟ । କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ହେଲେ ଜିଲ୍ଲା ଖଣିଜ ସଂପଦ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ । ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଚାଲିଛି ଲୁଟ । ବିନା ଲିଜ୍ ପରିମିଟରେ ବଡ ବଡ଼ ପାହାଡ଼ରେ ବେଆଇନ ପଥର କୁଆଁରି ଖନନ କରି ପଥର ନେଇଯାଉଛନ୍ତି ମାଫିଆ l ଜିଲ୍ଲାର ରିଆମାଳ ତହସିଲ ଅଧିନସ୍ତ ଛତ୍ରିପିଟା ଓ ଧୀରମୁଣ୍ଡା ଦୁଇଟି ଗାଁରେ ଏକାଧିକ ପଥର କୁଆଁରୀ ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁ ଅନୁଗୁଳ ଜିଲ୍ଲାର ଖଣି ମାଫିଆ ମାନେ ନକଲି ପରମିଟ୍ ସହାୟତାରେ ଏହି ତହସିଲ ଅଞ୍ଚଳରୁ ବେଆଇନ ପଥର ଚୋରି କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ୯ଟି ବାଲିଘାଟ ମଧ୍ୟରୁ ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ ୫ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷରେ ଏଯାଏଁ ଜମା ହୋଇପାରି ନାହିଁ ହେଲେ, ବାଲିଘାଟରୁ ବାଲି ଉଠାଣ ଜାରି ରହିଛି ।
ଛତ୍ରିପିଟା ଓ ଧୀରମୁଣ୍ଡା ଅଞ୍ଚଳରେ ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଙ୍ଗ କରଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଘର ଦ୍ୱାର ଦୋହଲି ଫାଟି ଯାଉଥିବା ଅଭିଯୋଗ ହୋଇଛି । ପାଖରେ ଥିବା ଜଙ୍ଗଲ ମଧ୍ୟ ନଷ୍ଟ ହେଲାଣି । ପୋଖରୀ,କୂଅ ଉପରେ ପଥର ଗୁଣ୍ଡର ଆସ୍ତର ଦେଖିବାକୁ ମିଳିଛି । ସେହିପରି ଅଞ୍ଚଳରେ ବାୟୁ ସହ ଜଳ ମଧ୍ୟ ଦୂଷିତ ହୋଇ ଗ୍ରାମରେ ନାନା ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏନେଇ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ଲୋକ । ଜିଲ୍ଲା ଖଣି ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ସୋମବାର ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ବସିବାକୁ ଥିବା କହିଛନ୍ତି ଜିଲ୍ଲାପାଳ ।
ସେପଟେ ଗଣମାଧ୍ୟମ ପ୍ରତିନିଧି ଅଭିଯୋଗକୁ ନେଇ ଜିଲ୍ଲା ଖଣି ଅଧିକାରୀଙ୍କ ମତାମତ ନେବାକୁ ଚାହିଁଥିଲେ ବି ସେ ନିଜ ପ୍ରତିକ୍ରିୟା ରଖିନାହାନ୍ତି । ଓଲଟି ଗଣମାମଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ଖଣି ଅଧିକାରୀ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହୁନଥିବା ବେଳେ ଛୁଟି ଦିନରେ କାର୍ଯ୍ୟାଳୟରେ ରହି କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।