ମିଆଁମାର ସାମରିକ ବିଦ୍ରୋହ ପଛରେ ଚୀନ, କଣ୍ଢେଇ ସରକାର ଦ୍ୱାରା ଭାରତକୁ ଘେରିବା ନୀତି

1 min read
myanmar

ମିଆଁମାର: ମିଆଁମାରରେ ରାତାରାତି ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କଲା ସେନା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ୍ ସାନ୍ ସୁ ସମେତ ଅନେକ ନେତା ଏବେ ସେନା ହେପାଜତରେ । ବିଶ୍ୱର ଅନେକ ଦେଶ ଏହି ସାମରିକ ବିଦ୍ରୋହକୁ ନିନ୍ଦା କରୁଛନ୍ତି । କିନ୍ତୁ ସତ ହେଲା, ମିଆଁମାର ସେନା ପାଇଁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା କି ପ୍ରଂଶସା କିଛି ମାଇନା ରଖେନା । ମିଆଁମାର ହେଉଛି ଆଉ ଗୋଟିଏ ପାକିସ୍ତାନ । ଯେଉଁଠି ସବୁବେଳେ କ୍ଷମତାରେ ସେନାର ଭାଗିଦାରୀ ରହି ଆସିଛି । ମିଆଁମାର ସେନାକୁ ଦେଶ ଭିତରେ ଆଉ ଗୋଟିଏ ଦେଶ ବୋଲି କହାଯାଏ । ମାନେ ଡିପ୍ ଷ୍ଟେଟ୍ । ତେବେ ମାତ୍ର ଅଳ୍ପ କେଇ ବର୍ଷ ଧରି ଗଣତନ୍ତ୍ର ଦେଖିଥିବା ମିଆଁମାରରେ ଅଚାନକ ଏହି ସାମରିକ ବିଦ୍ରୋହ ଦେଶ ଭିତରୁ ହୋଇଥିଲା ନା ବାହାରୁ କେହି ମିଆଁମାରର ମିଲିଟାରି ଜୁନ୍ତାକୁ ବିଦ୍ରୋହ ପାଇଁ ଉସକାଇଥିଲା ? ଅନୁମାନ କରାଯାଉଛି ଯେ, ମିଆଁମାର ସେନା ପିଠିରେ ଡ୍ରାଗନ୍ ହାତ ଅଛି । ମିଆଁମାର ଭାରତ ଆଡକୁ ଢଳୁଥିବା ଚୀନକୁ ବିବ୍ରତ କରୁଥିଲା । ତେଣୁ ଚୀନ୍ ମିଆଁମାର ସେନାକୁ ଗଣତାନ୍ତ୍ରିକ ସରକାର ବିରୋଧରେ ବିଦ୍ରୋହ କରିବାକୁ ଉସାକଇଥିବା କୁହାଯାଉଛି ।

ଏଇଠୁ ଆରମ୍ଭ ହୋଇଥିଲା ଉତ୍ତେଜନା
ଅନେକ ବର୍ଷ ଧରି ମିଆଁମାରକୁ ଚୀନର ପଛ କବାଟ ବୋଲି କୁହାଯାଉଥିଲା । ମିଆଁମାରର ବନ୍ଦର ରାସ୍ତା ଦେଇ ଚୀନ୍ ଦୁନିଆରେ ନିଜ ବ୍ୟବସାୟ ବିସ୍ତାର କରିଛି । ତେବେ ମିଆଁମାରର ଗଣତାନ୍ତ୍ରିକ ସରକାର ଚୀନ ହସ୍ତକ୍ଷେପ ଦ୍ୱାରା ଅସନ୍ତୁଷ୍ଠ ଥିଲା । ତେଣୁ ମିଆଁମାର ସରକାର ଭାରତ ସହ ସମ୍ପର୍କକୁ ନିବିଡ କରିଥିଲା । ଯାହା ଚୀନକୁ ବ୍ୟତିବ୍ୟସ୍ତ କରିଥିଲା । ଭାରତର ଲୁକ୍ ଇଷ୍ଟ୍ ପଲିସି ଓ ମିଆଁମାର ସରକାରଙ୍କ ଭାରତ ସହ ଭଲ ସମ୍ପର୍କ ଦ୍ୱାରା ଅସନ୍ତୁଷ୍ଟ ଚୀନ, ମିଆଁମାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲା । ତାଜା ଘଟଣାକ୍ରମ ପଛରେ ଚୀନର ହାତ ଥିବା ଅନୁମାନ କରାଯିବାର ଆଉ ଗୋଟିଏ କାରଣ ହେଉଛି ଚୀନର ଅସମ୍ଭବ ନିରବତା । ଚୀନ ଏପର୍ଯ୍ୟନ୍ତ ନିଜ ପଡୋଷୀ ଦେଶରେ ସାମରିକା ବିଦ୍ରୋହକୁ ନେଇ ପଦେ ମଧ୍ୟ କହିନାହିଁ ।

ଆତଙ୍କବାଦୀଙ୍କୁ ଚୀନ୍ ସମର୍ଥନ
ମିଆଁମାରର ଅନେକ ସ୍ଥାନୀୟ ଆତଙ୍କବାଦୀ ସଂଗଠନଙ୍କୁ ଚୀନ ସମର୍ଥନ ରହିଛି । ଅନେକ ସମୟରେ ଚୀନ୍ ଅସ୍ତ୍ର ସହିତ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଆମଷ୍ଟରଡମର ଥିଙ୍କ୍ ଟ୍ୟାଙ୍କ୍ ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ ଷ୍ଟଡିଜ୍ ନିକଟରେ ଦାବି କରିଥିଲା ଯେ, ଚୀନ୍ ସେନା ଜରିଆରେ ମିଆଁମାର ଗଣତନ୍ତ୍ରକୁ ଅସ୍ଥିର କରିବାକୁ ଚାହୁଁଛି । ମିଆଁମାରରେ ନିଜ ପୁରୁଣା ଦବଦବା କାଏମ କରିବାକୁ ବେଜିଂ ସେନା ଓ ସ୍ଥାନୀୟ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ବୋଲି ସଂଗଠନ ତା’ର ରିପୋର୍ଟରେ ଦାବି କରିଥିଲା ।

ଚୀନ ପ୍ରକଳ୍ପ ଅଟକି ଥିଲା
ମିଆଁମାରରେ ଚୀନ୍ ଅନେକ କିଛି ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଥିଲା । କିନ୍ତୁ ସୁ କି ସରକାର ଏଥିପାଇଁ ଅନୁମତି ଦେଉନଥିଲେ । ଅସନ୍ତୁଷ୍ଠ ଚୀନ ଏହାର ପ୍ରତିଶୋଧ ନେବାକୁ ଆରକାନ୍ ଆର୍ମୀକୁ ସାହାଯ୍ୟ କରୁଥିଲା । ଏହି ଆତଙ୍କବାଦୀ ସଂଗଠନକୁ ଚୀନ ସାହାଯ୍ୟ ଦେଉଥିଲା । ଅନ୍ୟପକ୍ଷରେ ଭାରତ ସହିତ ମିଆଁମାରର ନିକଟତା ମଧ୍ୟ ବେଜିଂକୁ ରଗାଇ ଦେଇଥିଲା । ଭାରତ ଓ ମିଆଁମାର ମଧ୍ୟରେ ୧୬୪୦ କି.ମିର ସୀମା ରହିଛି । ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ବନ୍ଧ ବଢିବାରେ ଲାଗିଥିଲା । ଚୀନକୁ ଲାଗିଲା ଯେ ତା’ର ସୁରକ୍ଷା ଓ ଅର୍ଥନୈତିକ ହିତ ଦୃଷ୍ଟିରୁ ସୁ କିଙ୍କୁ ଯିବାକୁ ପଡିବ ।

ଚୀନର ଢାଲ ଆରକାନ ଆର୍ମି
୨୦୧୭ରେ ଭାରତକୁ ମିଆଁମାରରେ ସଡକ ନିର୍ମାଣ ପାଇଁ ୨୨୦ ମିଲିୟନ ଡଲାରର ପ୍ରୋଜେକ୍ଟ ମିଳିଥିଲା । ଏହି ସଡକ ଭାରତ-ମିଆଁମାର-ଥାଇଲାଣ୍ଡକୁ ଯୋଡିବ । ଏହା ଦ୍ୱାରା ତିନି ଦେଶ ମଧ୍ୟରେ ବ୍ୟବସାୟ ସହଜ ହେବ । ଅନ୍ୟପକ୍ଷରେ ଭାରତ ଭଳି ମିଆଁମାର ମଧ୍ୟ ଚୀନର ୱାନ୍ ବେଲ୍ଟ୍- ୱାନ୍ ରୋଡ୍ ପ୍ରୋଜେକ୍ଟରେ ସାମିଲ ହେବାକୁ ମନା କରିଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚୀନ୍ ଆରକାନ୍ ଆର୍ମୀ ଭଳି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଛି ।

ମିଆଁମାରରେ ପାଦ ରଖିବା ଚୀନ୍ ପାଇଁ ଜରୁରୀ
ମିଆଁମାରରେ ବିନା ପ୍ରତିପତି ଓ ଦଖଲରେ ଚୀନ୍ ଭାରତରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରି ପାରିବ ନାହିଁ । ଉତ୍ତର-ପୂର୍ବ ଭାରତରେ ସକ୍ରୀୟ ଥିବା ଆତଙ୍କବାଦୀଙ୍କୁ ଚୀନ୍ ଆରକାନ୍ ଆର୍ମୀ ଜରିଆରେ ସାହାଯ୍ୟ ଦେଇଥାଏ । ମିଆଁମାର ସରକାର ଭାରତକୁ ଆତଙ୍କବାଦୀ ଦମନରେ ସାହାଯ୍ୟ କରୁଥିଲା । ମିଆଁମାରର ସୁ କି ସରକାର ଚୀନର ଏହି ଷଡ଼ଯନ୍ତ୍ର ରାସ୍ତାରେ ପ୍ରତିବନ୍ଧକ ଥିଲା ।

myanmar coup

ମିଆଁମାରକୁ ଦୁର୍ବଳ ରଖିବା ଚୀନର ରଣନୀତି
ମିଆଁମାରକୁ ରାଜନୈତିକ ଓ କୂଟନୈତିକ କାରଣରୁ ଦୁର୍ବଳ ରଖିବା ଚୀନ୍ ପାଇଁ ଭଲ । ଚୀନ୍ କେବଳ ଆରକାନ୍ ଆର୍ମୀ ନୁହେଁ ଅନ୍ୟ କିଛି ଆତଙ୍କବାଦୀ ସଂଗଠନଙ୍କୁ ମଧ୍ୟ ସାହାଯ୍ୟ କରୁଛି । ଚୀନର ରଣନୀତି ହେଉଛି ମିଆଁମାର ଭିତରେ ଅସନ୍ତୋଷ ରହୁ । ଫଳରେ ଏହା ନିଜ ଘରୋଇ ସମସ୍ୟାରେ ବ୍ୟସ୍ତ ରହିବ । ଭାରତ କିମ୍ବା ଅନ୍ୟ ରାଷ୍ଟ୍ରଙ୍କ ସହ ଭଲ ସମ୍ପର୍କ ସ୍ଥାପନ ପାଇଁ ଏହା ପାଖରେ ସମୟ ରହିବ ନାହିଁ ।

myanmar coup

ସୁ କି ଙ୍କ ସହ ଚୀନର ଭଲ ସମ୍ପର୍କ ନଥିଲା
ଏହି ସବୁ କାରଣ ବ୍ୟତିତ ଆଉ ଗୋଟିଏ ବଡ କାରଣ ହେଉଛି ଯେ, ଚୀନର ମିଆଁମାର ସେନା ମୁଖ୍ୟ ଓ ଅନ୍ୟ ଅଧିକାରୀଙ୍କ ସହ ତ’ ଭଲ ସମ୍ପର୍କ ଥିଲା କିନ୍ତୁ ସୁ କିଙ୍କ ସହ ସମ୍ପର୍କ ଖରାପ ଥିଲା । ଏହାର କାରଣ ହେଉଛି ସୁ’ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି । ସେ ମଧ୍ୟ ଭାରତ ସହ ଭଲ ସମ୍ପର୍କ ପକ୍ଷଧର ଥିଲେ । ସୂଚନାଯୋଗ୍ୟ ଯେ, ସୁ ନୂଆଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ୧୯୬୪ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏମତିରେ ଭାରତ ସହିତ ତାଙ୍କ ସମ୍ପର୍କ ଭଲ ଥିଲା । ଯାହା ଚୀନ ରଣନୈତିକ ଦୃଷ୍ଟିକୋଣରୁ ଠିକ୍ ନଥିଲା । ତେଣୁ ଚୀନ ସୁ’ଙ୍କୁ ରାସ୍ତାରୁ ହଟାଇବା ପାଇଁ ମିଆଁମାର ସେନାକୁ ମୋହରା କରିଛି ।

Leave a Reply