ଭାରତ ଉପରେ ଆଣବିକ ଆକ୍ରମଣ ଲାଗି ପାକିସ୍ତାନ କରିଥିଲା ଯୋଜନା: ମାଇକ ପମ୍ପିଓ

1 min read

ନୂଆଦିଲ୍ଲୀ: ଭାରତ ଉପରେ ଆଣବିକ ଆକ୍ରମଣ ଲାଗି ପାକିସ୍ତାନ କରିଥିଲା ଯୋଜନା । ୨୦୧୯ ଫେବ୍ରୁଆରୀରେ ବାଲକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଆଣବିକ ଆକ୍ରମଣ ଲାଗି ପାକିସ୍ତାନ ଯୋଜନା କରିଥିଲା । ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆମେରିକାର ତତକାଳୀନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ କହିଥିଲେ ତତକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ତେବେ କଠିନ ଉଦ୍ୟମ ପରେ ବିବାଦର ସମାଧାନ ହୋଇଥିଲା ବୋଲି ଖୁଲାସା କରିଛନ୍ତି ପମ୍ପିଓ ।

ପମ୍ପିଓଙ୍କ ପକ୍ଷରୁ ଲିଖିତ ନେଭର ଗିଭ ଆନ୍ ଇଞ୍ଚ- ଫାଇଟିଂ ଫର ଦି ଆମେରିକା ଆଇ ଲଭ୍ ପୁସ୍ତକରେ ସେ କହିଛନ୍ତି ୨୦୧୯ରେ ସେ ଏକ ସମ୍ମିଳନୀ ଲାଗି ଭିଏତନାମର ହାନୋଇରେ ଥିଲେ । ବାଲକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନର ଆଣବିକ ହାମଲା ନେଇ ସୁଷମା ସ୍ବରାଜ ସୂଚନା ଦେବା ପରେ ନୂଆଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ବିବାଦର ସମାଧାନ ଲାଗି କଠିନ ଉଦ୍ୟମ କରାଯାଇଥିଲା । ଗତ ୨୦୧୯ ଫେବ୍ରୁଆରୀରେ ପୁଲଓ୍ବାମା ଆତଙ୍କୀ ହାମଲାରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇବା ଜବାବରେ ପାକିସ୍ତାନର ବାଲକୋଟସ୍ଥିତ ଜୈସ-ଏ-ମହମ୍ମଦ ସଂଗଠନର ଏକ ପ୍ରଶିକ୍ଷଣ ଶିବିରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏହାକୁ ନେଇ ସେହି ସମୟରେ ଚାଲିଥିବା ବିବାଦର ସମାଧାନ ଲାଗି ତାଙ୍କୁ ହାନୋଇରେ ଅନେକ ପରିଶ୍ରମ କରିବାକୁ ପଡିଥିଲା ଯାହାକୁ ଆଜି ବି ସେ ଭୁଲି ପାରୁନାହାନ୍ତି ବୋଲି କହିଛନ୍ତି ପମ୍ପିଓ । ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ଭାରତର ଏକ ବିମାନକୁ ଖସାଇଦିଆଯାଇଥିଲା ଏବଂ ପାଇଲଟଙ୍କୁ ବନ୍ଦୀ କରିଥିଲା । ସେ କହିଛନ୍ତି- ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆଣବିକ ହାମଲା ପ୍ରସଙ୍ଗରେ ତତକାଳୀନ ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ ବୋଲଟନ, ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ କାମର ଜାଭେଦସହ ଆଲୋଚନା କରିଥିଲେ । ପରେ ବିବାଦର ସମାଧାନ ହୋଇଥିଲା ବୋଲି ସେ କହିଛନ୍ତି ।