୧୦ ପ୍ରତିଶତ କର୍ମଚାରୀ ବିଦା କରିବ ମାଇକ୍ରୋସଫ୍ଟ, ଆମାଜନରେ ବି ଆରମ୍ଭ ଛଟେଇ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟରେ ଆଜି ଠାରୁ ଆରମ୍ଭ ହୋଇପାରେ ମେଗା ଛଟେଇ । ବିଶ୍ବ କମ୍ପ୍ୟୁଟର ଶିଳ୍ପର ପ୍ରମୁଖ କମ୍ପାନୀରେ ଛଟେଇ ପ୍ରକ୍ରିୟା ପ୍ରାଥମିକ ଭାବେ ଇଞ୍ଜିନିୟରିଂ ଡିଭିଜନରେ ଆରମ୍ଭ ହେବ । ମାଇକ୍ରୋସଫ୍ଟରେ ୨ ଲକ୍ଷ ୨୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଗତବର୍ଷ ଦୁଇଥର କମ୍ପାନୀ ଛଟେଇ କରିଥିବା ବେଳେ ଚଳିତ ବର୍ଷ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେବା ସୂଚନା ମିଳିଛି । ମାଇକ୍ରୋସଫ୍ଟର ବିଭିନ୍ନ ସ୍ତରରେ ୫ରୁ ୧୦ ପ୍ରତିଶତ କର୍ମଚାରୀ ଛଟେଇ ହେବା ଆଶଙ୍କା କରାଯାଉଛି ।

ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଜ୍ଞାପନଦାତାଙ୍କ ବଜେଟ ହ୍ରାସ ପ୍ରଭାବରେ କେବଳ ମାଇକ୍ରୋସଫ୍ଟ ନୁହେଁ, ଅନ୍ୟାନ୍ୟ କମ୍ପାନୀ ବି କର୍ମଚାରୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେପଟେ ଆମାଜନରେ ବି ଆରମ୍ଭ ହୋଇଛି ଛଟେଇ ପ୍ରକ୍ରିୟା । ବିଶ୍ବରେ ମୋଟ ୧୮ ହଜାର କର୍ମଚାରୀଙ୍କୁ ଆମାଜନ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଥିବାବେଳେ ଭାରତରେ 1 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏହି ପ୍ରକ୍ରିୟାରେ ଆମାଜାନରୁ ବିଦା ହୋଇଛନ୍ତି 1 ହଜାର କର୍ମଚାରୀ । ଭାରତରେ ଆମାଜନର ପ୍ରାୟ 1 ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ କମ୍ପାନୀ 5 ମାସର ଦରମା ଦେଇଛି ।

ଗତବର୍ଷ ନଭେମ୍ବରରେ ମେଟା ୧୧ ହଜାର କର୍ମଚାରୀ ଅର୍ଥାତ ମୋଟ କର୍ମଚାରୀ ସଂଖ୍ୟାର ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ଲାଗି ଘୋଷଣା କରିଥିଲା । ଗତବର୍ଷ ଅଗଷ୍ଟରେ ସ୍ନାପଚାଟ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ ୧୨ ଶହ କର୍ମଚାରୀଙ୍କୁ ଛଟେଇ କରିଥିଲା । ଚଳିତ ଜାନୁଆରୀରେ ଆଇଟି କମ୍ପାନି ସେଲ୍ସଫୋର୍ସ ୧୦ ପ୍ରତିଶତ ଅର୍ଥାତ ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଗତବର୍ଷ ଅକ୍ଟୋବରରେ ଟୁଇଟର ପ୍ରାୟ ୭ ହଜାର ୫୦୦ କର୍ମଚାରୀଙ୍କୁ ବିଦା କରିଥିଲା ।