ହାଡ଼ଭଙ୍ଗା ଶୀତରେ ଥରିବ ଓଡିଶା, ୧୨ରୁ ଖସିବ ପାରଦ

ଭୁବନେଶ୍ବର: କମିବ ତାପମାତ୍ରା ବଢିବ ଶୀତ । ଶନିବାର ଠୁ ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୧୨ ତାରିଖରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା ।

ଫଳରେ ଦକ୍ଷିଣ ଓଡିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ କୋହଲା ପାଗ ରହୁଥିଲା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଛି । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ଘଣ୍ଟାରେ ବୌଦ୍ଧରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଦକ୍ଷିଣ ପଶ୍ଚିମ ସଂଲଗ୍ନ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।