ଓଡ଼ିଶାର ବିକାଶ ମାନଚିତ୍ରରେ ମିଳିବ ମୟୂରଭଞ୍ଜକୁ ସ୍ୱତନ୍ତ୍ର ସ୍ଥାନ: ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶାର ବିକାଶ ମାନଚିତ୍ରରେ ମୟୂରଭଞ୍ଜକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ବାରିପଦାଠାରେ କିସର ଆବାସିକ ବିଦ୍ୟାଳୟର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଆଜି ୨୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହିସବୁ ପ୍ରକଳ୍ପ ମୁଖ୍ୟତଃ ପାନୀୟ ଜଳ, ରାସ୍ତାନିର୍ମାଣ ଏବଂ ଅନ୍ୟାନ ଭିତ୍ତିଭୂମୀ ବିକାଶ ସମ୍ପର୍କୀତ । ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିସର ଆବାସିକ ବିଦ୍ୟାଳୟ ପାଇଁ ଆଦାନି ଗ୍ରୁପ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି, କାରଣ ଶିକ୍ଷା ହିଁ ପ୍ରକୃତ ସଶକ୍ତିକରଣ । ଏହାଦ୍ଵାରା ପରିବର୍ତ୍ତନ ସମ୍ଭବ ହେଉଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସରକାର ୬୫୦୦ରୁ ଅଧିକ ଛାତ୍ରାବାସ କରିଛନ୍ତି, ଯେଉଁଥିରେ ୬ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି ।

ସହରାଞ୍ଚଳରେ ମଧ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply