ଦେଖିନଥିବେ ଏମିତି ବିବାହ: କୁମ୍ଭୀର କନ୍ୟା, ବର ମେୟର

ମେକ୍ସିକୋ ସିଟି: ଜୀବନସାଥୀ ସହ ସଂସାର ଗଢିବାକୁ ପ୍ରତ୍ୟେକ ସ୍ବପ୍ନ ଦେଖିଥାନ୍ତି  । କିନ୍ତୁ ଜୀବନସାଥୀ ଯଦି କୁମ୍ଭୀର ହୋଇଥିବ ତେବେ ଏହା କେମିତି ସମ୍ଭବ ? କାହାଣୀ ଭଳି ଲାଗୁଥିଲେ ବି ବାସ୍ତବରେ ଏମିତି ଘଟଣା ଘଟିଛି ମେକ୍ସିକୋର ଏକ ଗାଁରେ  । ମହିଳାଙ୍କ ପରିବର୍ତ୍ତେ ଏକ କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ସେଠାକାର ମେୟର । ସୋସିଆଲ ମିଡିଆରେ ଫଟୋ ସେୟାର ପରେ ଚାରିଆଡେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା  ।

ସୈନ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହ୍ୟୁଗୋ ସୋସା ପ୍ରାଚୀନ ପରମ୍ପରାକୁ ପାଳନ କରିବାକୁ ଯାଇ କୁମ୍ଭୀରକୁ କନ୍ୟା ସଜାଇଛନ୍ତି । ବିବାହରେ କୁମ୍ଭୀର ଧଳାରଙ୍ଗର ଗାଉନ ପିନ୍ଧି ଓଢଣୀ ପକାଇଛି ।ମେୟର ମଧ୍ୟ ନିଜ କନ୍ୟାକୁ ହାତରେ ଧରି ସ୍ଥାନୀୟ ଲୋକଙ୍କ ସହ ଗାଁ ଭିତରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ ଯାଉଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ମେୟର ନିଜ ନବବିବାହିତା ପତ୍ନୀ କୁମ୍ଭୀରଙ୍କୁ ଚୁମ୍ବନ ଦେଉଛନ୍ତି  । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ କୁମ୍ଭୀର ମୁହଁକୁ ବନ୍ଧା ଯାଇଛି। ରଏଟର୍ସର ଖବର ଅନୁସାରେ କୁମ୍ଭୀରକୁ ଲିଟିଲ ପ୍ରିନ୍ସେସର ଆଖ୍ୟା ଦିଆଯାଇଛି । ପର୍ଯ୍ୟାପ୍ତ ବର୍ଷା ଏବଂ ଖାଦ୍ୟ ପାଇଁ ପରମ୍ପରା ପାଳନ କରିଆସୁଛି ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ମତ୍ସଜୀବୀଙ୍କ ଏହି ଗାଁ ।

ସ୍ବଦେଶୀ ସଂସ୍କୃତି, ଭାଷା ଓ ପରମ୍ପରା ସଂରକ୍ଷଣ ପାଇଁ ମେକ୍ସିକୋର ଦକ୍ଷିଣରେ ଥିବା ଓକ୍ସାକା ପରିଚିତ  ।