ଆରମ୍ଭ ହେଲା ଯୁକ୍ତଦୁଇ ପରୀକ୍ଷା, କାଲିଠୁ ମାଟ୍ରିକ ପରୀକ୍ଷା

1 min read

ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ସାଢେ ୮ଟା ସମୟରେ ପିଲାଙ୍କୁ କେନ୍ଦ୍ରକୁ ଛଡା ଯାଇଥିଲା । ୮ଟା ୫୦ମିନିଟରେ ପ୍ରଶ୍ନପତ୍ର ଓ ୮ଟା ୫୫ମିନିଟରେ ଉତ୍ତର ଖାତା ଦିଆଯାଇଥିଲା । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ନୋଡାଲ ସେଣ୍ଟରରେ କଡା ସୁରକ୍ଷା ଭିତରେ ଥିବା ପ୍ରଶ୍ନପତ୍ରଗୁଡିକୁ ବିଭିନ୍ନ କେନ୍ଦ୍ରକୁ ପଠାଯାଇଥିଲା । ସେପଟେ ହିଟଓ୍ବେଭ ଓ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିଲାଙ୍କ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ସେପଟେ ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ସମେଟିଭ୍‌-୨ ମାଟ୍ରିକ, ମଧ୍ୟମା ଓ ଓପନ୍‌ ସ୍କୁଲ ପରୀକ୍ଷା । ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମେଟିଭ୍‌-୨ ପରୀକ୍ଷା ଦେବେ । ୯୩୭୮ ଜଣ ଓପନ୍‌ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ପରୀକ୍ଷା ସୁପରିଚାଳନା ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପିଶୂନ୍ୟ କରିବା ପାଇଁ ୬୫ଟି ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାର୍ଡ ଗଠନ କରାଯାଇଛି ।

ମାଟ୍ରିକ ପରୀକ୍ଷା ମୋଟ ୮୦ ମାର୍କର ହେବାକୁ ଥିବା ବେଳେ ସେଥିମଧ୍ୟରୁ ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ରହିବ ।