ପଣା ସଂକ୍ରାନ୍ତି ପାଇଁ ବଢିବାରେ ଲାଗିଛି ମାଟି ଘୋଡା ଓ ଠେକିର ଚାହିଦା

ବାସୁଦେବପୁର: ରୋଜଗାର ଦେଉଛି ମାଟି ଘୋଡା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗଦି ଗାଁର ଶହ ଶହ କାରିଗର ପ୍ରସ୍ତୁତ କରୁଛନ୍ତି ମାଟି ଘୋଡା । ପଣା ସଂକ୍ରାନ୍ତି ପାଇଁ ବଢିବାରେ ଲାଗିଛି ମାଟି ଘୋଡା ଓ ଠେକିର ଚାହିଦା । ମାଟି ଘୋଡା ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଲୋକ ।

ରବିବାର ପଣା ସଂକ୍ରାନ୍ତି ।ଏହିଦିନ ମାଟି ଠେକି ଓ ମାଟି ଘୋଡାର ଚାହିଦା ଅଧିକ । ଆଧୁନିକତାର ଛାପ ମଧ୍ଯରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗଦି ଗାଁରେ ଏବେବି ବଞ୍ଚିଛି ମାଟି କାରିଗରୀ । ଦେଖନ୍ତୁ ଘରେ ଘରେ ତିଆରି କରୁଛନ୍ତି ମାଟି ଘୋଡା ଓ ଠେକି । ସକାଳ ଠାରୁ ସନ୍ଧ୍ଯା ପର୍ଯ୍ଯନ୍ତ ଲାଗି ପଡିଛନ୍ତି ସଭିଏଁ । ମାଟି ଘୋଡା ଆମ ସଂସ୍କୃତି ଓ ପରମ୍ପରା ସହିତ ନିବିଡ ଭାବେ ଜଡିତ । ପଣା ସଂକ୍ରାନ୍ତିରେ ସମସ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଠେକିରେ ପଣା ଅର୍ପଣ କରିଥାନ୍ତି । କିଏ ପିଲା ଛୁଆଙ୍କ ଭଲ ପାଇଁ ମାଆଙ୍କ ପାଖରେ ସମର୍ପଣ କରିଥାନ୍ତି  ମାଟିଘୋଡା । ବର୍ଷକୁ ଥରେ ପଣାସଂକ୍ରାନ୍ତି ସମୟରେ ମାଟି ଘୋଡା  ଓ ଠେକି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି କୁମ୍ଭକାର ପରିବାର।

ଗଦି ଗାଁରେ ଅଛନ୍ତି ୨୫ଟି କୁମ୍ଭାର ପରିବାର । ସେହିପରି ବଂଶୀପାଟଣା, ବିନାୟକପୁର, ପାରା ଆଦି ଗାଁରେ ଶହ ଶହ କୁମ୍ଭକାର ପରିବାର ବସବାସ କରୁଛନ୍ତି । ମାଟି ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଛନ୍ତି । ମାଟିରେ ଦୀପ, ଠେକି, ଆଟିକା, କଳସ, ଘୋଡା ଆଦି ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। କୁମ୍ଭାର ପରିବାରକୁ ଚକ ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଲୋଡିଛନ୍ତି ଲୋକ ।