ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ମାଷ୍ଟରପ୍ଲାନ

1 min read

ଭୁବନେଶ୍ବର: ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ଜଳ ସମ୍ପଦ ବିଭାଗର ମାଷ୍ଟରପ୍ଲାନ । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍ । ଏଥିପାଇଁ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ନିର୍ମାଣ ହେବାକୁ ଥିବା ଚେକ ଡ୍ୟାମ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଭୂତଳ ଜଳ ରିଚାର୍ଜ ଓ ଚାଷର ଉନ୍ନତି । ଏଥି ସହ ଦୁର୍ବଳ ଚେକ୍ ଡ୍ୟାମର ମରାମତି ପାଇଁ ବି ଅର୍ଥ ମଞ୍ଜୁର ହୋଇଛି ।

ପ୍ରତି ବ୍ଲକର ଜଳସେଚନ ସୁବିଧାକୁ ସମୀକ୍ଷା କରିବ ଜଳ ସମ୍ପଦ ବିଭାଗ । ଯେଉଁ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜମିକୁ ଜଳସେଚନ ସୁବିଧା ଥିବ, ସେଠାରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୧୧.୪୫କୋଟି ବ୍ୟୟରେ ୧୨୮୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ । ଯେଉଁ ଚେକ୍ ଡ୍ୟାମ୍‌ଗୁଡ଼ିକ ଭାଙ୍ଗିଯାଇଛି ସେଗୁଡ଼ିକର ମରାମତି କରାଯିବ । ୨୦୯୨ଟି ଚେକ୍ ଡ୍ୟାମର ଉନ୍ନତିକରଣ ପାଇଁ ୧୫୭.୫୮କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଏହି ପରି ଚେକ୍ ଡ୍ୟାମ୍ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୬୯କୋଟି ୩ଲକ୍ଷ ଖର୍ଚ୍ଚ କରାଯିବ । ଚେକ୍ ଡ୍ୟାମ୍ ଗୁଡ଼ିକ ଚାଷୀଙ୍କୁ ଖରିଫ ଋତୁରେ ପାଣି ଯୋଗାଇବ । ଏହି ଜଳସେଚନ ଉଦ୍ୟାନ କୃଷି ପାଇଁ ସହାୟକ ହେବ । ସେହିପରି ମୌସୁମୀ ପରବର୍ତ୍ତୀ ସମୟରେ ଲୋକଙ୍କ ପିଇବା ପାଣି ଓ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବ୍ୟବହାର କରାଯିବ । ୧୨୮୦ଟି ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ଦ୍ବାରା ୨୭ ହଜାର ୬୦୦ ହେକ୍ଟର ଜମିକୁ ଏବଂ ୨୦୯୨ଟି ଚେକ୍ ଡ୍ୟାମ୍ ଉନ୍ନତିକରଣ ଦ୍ବାରା ୩୦ ହଜାର ୧୧୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ଚେକ ଡ୍ୟାମ ଦ୍ବାରା ବୋହୁଥିବା ପାଣିକୁ ଅଟକା ଯାଏ । ଯେଉଁ ବାଟ ଦେଇ ପାଣି ଅଟକା ଯାଏ, ସେଠାରେ ମାଟି ସଂଯୋଗରେ ଆସି ଭେଦିଥାଏ । ପାଖାପାଖି ୨୦ରୁ ୩୦ ପ୍ରତିଶତ ପାଣି ଭେଦି ଭୂତଳ ଜଳକୁ ରିଚାର୍ଜ କରେ ।