ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ‘ଲାପଟପ’ ଗିରଫ

ନନ୍ଦିଘୋଷ ବ୍ୟୁରୋ : ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ପ୍ରଶାନ୍ତ ଜାଲିନ୍ଦର କାମ୍ଵଲେ ଓରଫ ‘ଲାପଟପ’ ଗିରଫ । କାମ୍ଵଲେକୁ ଗିରଫ କରିଛି ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ । କାମ୍ଵଲେ ୨୦୧୧ରୁ ଫେରାର ଥିଲା । ଏଟିଏସର ଥାନେ ୟୁନିଟ୍ ୨୦୧୧ ମସିହାରେ କାମ୍ବଲେଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନେଇ ମାମଲା ରୁଜୁ କରିଥିଲା । ପୁଣେ ଏଟିଏସ ପ୍ରଶାନ୍ତକୁ ଗିରଫ କରିବା ପରେ ଥାନେ ୟୁନିଟକୁ ହସ୍ତାନ୍ତର କରିଛି । ରବିବାର ଦିନ କାମ୍ବଲେକୁ ଥାନେ କୋର୍ଟରେ ହାଜର ପରେ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା ।
କାମ୍ବଲେ କମ୍ପ୍ୟୁଟର ଏବଂ ଲାପଟପ୍ ମରାମତିରେ ଦକ୍ଷତା ଥିବାରୁ ତାର ଡାକ ନାମ ଲାପଟପ ହୋଇଥିଲା । ମାଓବାଦୀ ସଂଗଠନରେ ଯୋଗଦେବା ପରେ ତାର ସହରାଞ୍ଚଳରୁ ଶିକ୍ଷିତ ଯୁବବର୍ଗଙ୍କୁ ମାଓବାଦୀ ଗୋଷ୍ଠୀରେ ସାମିଲ କରାଇବା ଥିଲା ତାର ପ୍ରାଥମିକ ଭୂମିକା । ଏବଂ ସଂଗଠନର ସହରାଞ୍ଚଳ ନେଟୱାର୍କକୁ ସୁଦୃଢ଼ କରିବା । ପୋଲିସ ସୂଚନା ଅନୁଯାୟୀ କାମ୍ବଲେ ମାଓବାଦୀ କେନ୍ଦ୍ରୀୟ କମିଟିର ଜଣେ ବରିଷ୍ଠ ସଦସ୍ୟ ତଥା ୨୦୧୧ରେ ଗଡ଼ଚିରୋଲିରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ମିଲିନ୍ଦ ଓରଫ ଦୀପକ ତେଲତୁମ୍ବଡେର ଘନିଷ୍ଠ ସହଯୋଗୀ ଥିଲା ।