ଟେନସନ ବଢ଼ାଇଛି ହୁତି; ସାଉଦିରେ ୨୫ ହଜାର ସୈନ୍ୟ ମୁତୟନ କରିବ ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ୟେମେନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହୁତି ସଂଗଠନର ଉପଦ୍ରବ । ଆଉ ଏମିତି ସ୍ଥିତିରେ ସାଉଦି ଆରବରେ ପାକିସ୍ତାନ ନିଜର ସାମରିକ ଉପସ୍ଥିତି ଜାହିର କରିବାକୁ ଯାଉଛି । ଲକ୍ଷ୍ୟ ଗୋଟିଏ, ହୁତିକୁ ନିୟନ୍ତ୍ରଣରେ ରଖିବା ସହ ମଧ୍ୟପ୍ରାଚ୍ୟରେ ନିଜର ବଡ଼ ଭାଇ ପଣିଆ ଜାହିର କରିବା । ଏଥିଲାଗି ସାଉଦି ଆରବରେ ପାକିସ୍ତାନ ପ୍ରାୟ ୨୫ ହଜାର ସୈନ୍ୟ ମୁତୟନ କରିବାକୁ ଯାଉଛି ।
ସୂଚନାଯୋଗ୍ୟ, ପାକିସ୍ତାନ, ତୁର୍କୀ ଓ ସାଉଦିଆରବ ମଧ୍ଯରେ ହୋଇଥିବା ମାକା ଯୁଗ୍ମ ପ୍ରତିରକ୍ଷା ରାଜିନାମା ଅନୁସାରେ ଏହି ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନେଇ ପାକିସ୍ତାନ । ଏହି ଅଞ୍ଚଳରେ ହୁତି ସଂଗଠନର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଉଦିଆରବରେ ସୈନ୍ୟ ମୁତୟନ ଲାଗି ପାକିସ୍ତାନ ସହମିତ ପ୍ରକାଶ କରିଛି । ଏହି ରାଜିନାମା ରିୟାଦରେ ଅନୁଷ୍ଠିତ ହୋଇଥିଲା ।
ବର୍ତ୍ତମାନ ସାଉଦିଆରବରେ ୧୫ ହଜାର ପାକିସ୍ତାନୀ ସୈନ୍ୟ ମୁତୟନ ଅଛନ୍ତି । ଏହି ସଂଖ୍ୟା ୨୫ ହଜାରକୁ ବୃଦ୍ଧି କରାଯିବ । କେବଳ ସୈନ୍ୟ ମୁତୟନ ନୁହେଁ ବରଂ ପ୍ରତିରକ୍ଷା ସ୍ତରରେ ସାଉଦି ଆରବକୁ ସହଯୋଗ କରିବ ପାକିସ୍ତାନ । ଏହି କ୍ରମରେ ସାଉଦି ଆରବକୁ ଡ୍ରୋନ, ମିସାଇଲ ଓ ଡିଫେନ୍ସ ସିଷ୍ଟମ ଯୋଗାଇବ ବୋଲି ପାକିସ୍ତାନ ନିଷ୍ପତ୍ତି ନେଇଛି ।

