ମାନସ ହତ୍ୟାକାଣ୍ଡରୁ ହଟୁଛି ପରଦା, ଚାନ୍ଦବାଲି ପଳାସପୁର ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା । ଚାନ୍ଦବାଲି ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । କେମିତି ମାନସଙ୍କୁ କରାଯାଇଥିଲା ହତ୍ୟା ତାହାର ଡେମୋ ଦେଖାଇବ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ନିର୍ଯାତନା ଦିଆଯାଇଥିଲା । ଡେମୋ ଦେଖାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସହ ଦୟାଲ ଆଶ୍ରମରେ ପହଞ୍ଚିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ଶର୍ମିଷ୍ଠା ଡେମୋ ଦେଖାଇବା ପୂର୍ବରୁ ଦୟାଲ ଆଶ୍ରମକୁ ପୋଲିସ ପକ୍ଷରୁ କର୍ଡନ କରାଯାଇଛି । ଆଶ୍ରମ ମଧ୍ୟକୁ ଯେମିତି କେହି ପଶିପାରିବେ ନାହିଁ ସେଥିପାଇଁ ଆଶ୍ରମ ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।

ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାକୁ ନେଇ ପହଞ୍ଚିବା ପୂର୍ବରୁ ଆଜି ସକାଳେ ଚାନ୍ଦବାଲି ଯାଇ କ୍ରାଇମସ୍ପଟରେ କ୍ରାଇମସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାସପୁରରୁ କେମିତି ହୋଇଥିଲା ମାନସଙ୍କ ଅପହରଣ, ତାହାର ଡେମୋ କମ୍ ସମୟରେ ଦେଖାଇଥିଲା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ମାନସଙ୍କ ହତ୍ୟାକାରୀକୁ ନେବା ଖବର ଜାଣି ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା। ଫଳରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଥିଲା କ୍ରାଇମବ୍ରାଞ୍ଚ।

ତେବେ ଏବେ ଭୁବନେଶ୍ୱରର ଦୟାଲ ଆଶ୍ରମରେ କ୍ରାଇମସିନ୍ ରିକ୍ରିଏସନ କରିବା ପରେ ନୟାଗଡ଼ ଯାଇ ସେଠାରେ କ୍ରାଇମସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଏବେସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନି । ଶର୍ମିଷ୍ଠାର ଡେମୋରୁ ତା’ର ବି ସୁରାକ୍ ପାଇପାରେ କ୍ରାଇମବ୍ରାଞ୍ଚ । ଶେଷରେ ରଣପୁର ନିକଟରେ କେଉଁଠି ମୃତଦେହ ପୋତିଥିଲେ ଏବଂ ପ୍ରମାଣ ଲୁଚାଇବାକୁ କ’ଣ ହୋଇଥିଲା ପ୍ଲାନ୍‌, ତା’ର ଡେମୋ ଦେଖାଇବ ଅଭିଯୁକ୍ତ ।