ମାନସ ହତ୍ୟାକାଣ୍ଡ: ଏତେଦିନ ହେବ କେଉଁଠି ଲୁଚି ରହିଥିଲେ ଶର୍ମିଷ୍ଠା ?

ଭୁବନେଶ୍ୱର: ସରିଲା ଲୁଚକାଳି ଖେଳ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ଏହାସହ ତାର ସହଯୋଗୀ ଝୁନା ଭୋଇକୁ ମଧ୍ୟ ଗିରଫ କରାଯାଇଛି । ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଓ ଝୁନାକୁ ମିଳିତ ସହଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚର ଓ ଭଦ୍ରକ ପୋଲିସ  । ଆଜି ଉଭୟଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ । ତେବେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା  ।

କେଉଁଠି ଥିଲା ଶର୍ମିଷ୍ଠା ?

ମାନସ ସ୍ୱାଇଁକୁ ହତ୍ୟା କରି ଦିର୍ଘ ଦିନଧରି ପୋଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।

ଏହି ୨ଜଣ ସମେତ ମାମଲାରେ ୮ ଜଣଙ୍କୁ ଗିରଫ କରାଗଲାଣି  । ଏମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନାଙ୍କ ସହ ପୂର୍ବରୁ ଗିରଫ ଅନ୍ୟ ୫ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ  । ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା ! ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ  । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ  । ବିଜୟଓ୍ବାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତକୁ ଗିରଫ କରାଯାଇଛି  । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି  । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ  ।